ଭୁବନେଶ୍ୱର: ଅର୍ପଣ ରଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ମହାପ୍ରଭୁଙ୍କ ସୋଲ ମୂର୍ତି କରି ଟ୍ରକ ପଛରେ ବୁଲେଇ ଚାଉଳ ମଗାଯାଉଛି । ଅସ୍ମିତାକୁ ଯଦି ବୁଝିଥାନ୍ତେ ତା ହେଲେ ମହାପ୍ରଭୁଙ୍କୁ ଭିକାରୀ ସଜେଇ ନ ଥାନ୍ତେ । ଲୋକେ ଭକ୍ତିରେ ଦେଉଥିବା ଚାଉଳକୁ ବିଜେଡି କର୍ମୀ ଭୋଜି କରୁଛନ୍ତି । ଏ କି ପ୍ରକାର ପ୍ରହସନ ଚାଲିଛି । ମହାପ୍ରଭୁଙ୍କୁ ନେଇ ଏ କି ଖେଳ ଚାଲିଛି । ଆସନ୍ତା ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମନ୍ଦିର ପ୍ରବେଶ ଦ୍ୱାରରେ ନିଜେ ଚପଲ ଖୋଲି କ୍ଷମା ମାଗନ୍ତୁ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ବିରୋଧ ବଢିବାରେ ଲାଗିଛି । ଯେଉଁଭଳି ଭାବେ ମହାପ୍ରଭୁ ଜଗନ୍ନାଥଙ୍କୁ ଟ୍ରଲି ଓ ପିକଅପରେ ବସାଇ ଅର୍ପଣ ରଥର ନାଁ ଦେଇ ଗୁଆ ଚାଉଳ ସଂଗ୍ରହ କରାଯାଉଛି ତାକୁ ନେଇ ସାଧାରଣ ଜନତାଙ୍କଠୁ ନେଇ ନେତାମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି । ଏହି କ୍ରମରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣକୁ ନେଇ ବର୍ଷିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେ କହିଛନ୍ତି, ଓଡିଶା ସରକାର ଅଣଓଡିଆ ଚିନ୍ତାଧାରା ଦ୍ୱାରା ପ୍ରଭାବିତ । ୩ଟି ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ଶବ୍ଦରେ ସେ ସମାଲୋଚନା କରିଛନ୍ତି ।
ବିଜୟ କହିଛନ୍ତି ସରକାର ଜାଣି ନାହାନ୍ତି ଶ୍ରୀମନ୍ଦିରର ମହାତ୍ମ୍ୟ କଣ । ସରକାର ଭାବୁଛନ୍ତି ଏହା ଏକ ପର୍ଯ୍ୟଟନସ୍ଥଳୀ । ମହାପ୍ରସାଦ ପ୍ରଚାର ପାଇଁ ଗୋମାଂସ ଭକ୍ଷଣକାରୀଙ୍କୁ ପ୍ରବେଶ କରାଇଲେ । ଏହି ସମୟରେ କାମିଆ ଜାନିଙ୍କ ଫଟୋ ଦେଖାଇ ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି । ମହାପ୍ରସାଦ କଣ ଏକ ରେଷ୍ଟୁରାଂଟର ଖାଦ୍ୟ କି, ଯାହାର ପ୍ରଚାର ପ୍ରସାର ଦରକାର । ଏହା ସମସ୍ତଙ୍କ ଧର୍ମୀୟ ଭାବନା ପ୍ରତି କୁଠାରଘାତ । ଏହା ସହିତ ସେ ଗୁଆ ନିମନ୍ତ୍ରଣକୁ ନେଇ ମଧ୍ୟ କଡା ସମାଲୋଚନା କରିଛନ୍ତି ।
ବିଜୟ ପଟ୍ଟନାୟକ କହିଛନ୍ତି, ମନ୍ଦିର ଚାରିପାଖ ଅବରୋଧକୁ ହଟାଇ ୪ଟି ଶୌଚାଳୟ କରାଯାଇଛି । ଏହି ଶୌଚାଳୟ ଉଦଘାଟନ ପାଇଁ ଗୁଆ, ଚାଉଳର ଆବଶ୍ୟକତା ଅଛି କି । ଶୌଚାଳୟ ପାଇଁ ଲୋକ ଗୁଆ ଚାଉଳ ଦେବେ, ଏହା କେଉଁଠି ଲେଖା ଯାଇଛି । ମନ୍ଦିରରେ ପାଣି ଗଳୁଛି, କିପରି ମରାମତି ହେବ ଚିନ୍ତା କଲେ ଭଲ ହେବ । କାନ୍ଥରେ ଚିତ୍ର କରି ମହାପ୍ରଭୁଙ୍କ ଗାଥାଗାନ କରୁଛନ୍ତି । ଏ ଆସ୍ପର୍ଦ୍ଧା ଦେଲା କିଏ ବୋଲି ବିଜୟ ପ୍ରଶ୍ନ କରିଛନ୍ତି । ମନ୍ଦିର ଚାରିକଡେ ଗଛ ଲଗାଯାଉଛି, ଏହା କଣ ଏକ ପାର୍କ ନା ପର୍ଯ୍ୟଟନସ୍ଥଳୀ । ଓଡିଆମାନଙ୍କ ଭାବାବେଗକୁ ଏ ସରକାର ବୁଝି ପାରୁ ନାହିଁ ବୋଲି ବିଜୟ ପଟ୍ଟନାୟକ କହିଛନ୍ତି ।
ସୂଚନାଯୋଗ୍ୟ, ସଂପ୍ରତି ଗାଁ ଗାଁରେ ବୁଲୁଥିବା ଅର୍ପଣ ରଥକୁ ନେଇ ବିବାଦ ଦେଖାଗଲାଣି । ଲୋକେ ଏହାର ବିରୋଧ କରିବା ଆରମ୍ଭ କଲେଣି । ଯେଉଁଭଳି ଭାବେ ଜଗନ୍ନାଥଙ୍କ ମୂର୍ତିକୁ ନିଆଯାଉଛି, ତାହା ଲୋକଙ୍କ ଭାବାବେଗକୁ ଆଘାତ ଦେଇଥିବା ଲୋକେ କହିଛନ୍ତି । ସେପଟେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚି ସାରିଛି ।