ପରିକ୍ରମା ପ୍ରକଳ୍ପ ବିଜେଡିର ଦଳୀୟ କାର୍ଯ୍ୟକ୍ରମ, ସେଥିରେ ସାମିଲ୍ କିଭଳି ହେବୁ: ମନମୋହନ ସାମଲ


ଭୁବନେଶ୍ୱର: ଆଉ ଦୁଇ ଦିନ ପରେ ପରିକ୍ରମା ପ୍ରକଳ୍ପର ଉଦଘାଟନ ହେବାକୁ ଥିବା ବେଳେ ଏହାକୁ ନେଇ ବିରୋଧ ଓ ରାଜନୀତି ଜୋର ଧରିଛି । ଯେଉଁଭଳି ଭାବେ ମହାପ୍ରଭୁ ଜଗନ୍ନାଥଙ୍କୁ ଟ୍ରଲି ଓ ପିକଅପରେ ବସାଇ ଅର୍ପଣ ରଥର ନାଁ ଦେଇ ଗୁଆ ଚାଉଳ ସଂଗ୍ରହ କରାଯାଉଛି ତାକୁ ନେଇ ସାଧାରଣ ଜନତାଙ୍କଠୁ ନେଇ ନେତାମାନେ ମଧ୍ୟ ତୀବ୍ର ବିରୋଧ କରିଛନ୍ତି । ଏହି କ୍ରମରେ ପରିକ୍ରମା ପ୍ରକଳ୍ପକୁ ଦଳୀୟ କାର୍ଯ୍ୟକ୍ରମ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ଜଗନ୍ନାଥ କେଉଁ ଦଳର ନୁହନ୍ତି, ସେ ସାରା ବିଶ୍ୱର ନେତା । ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମରେ ସାମିଲ୍ ହେବା ଉଚିତ୍ ନା ନାହିଁ ଆପଣ କହନ୍ତୁ ବୋଲି ମନମୋହନ କହିଛନ୍ତି ।

ବିଜେଡି ଲୋକ ଏହାକୁ ନିଜର ଦଳୀୟ କାର୍ଯ୍ୟକ୍ରମ ଭାବିଛନ୍ତି । ଏହାକୁ ନେଇ ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସରକାର । ଯେଉଁଭଳି ଭାବେ ଟ୍ରକକୁ ଅର୍ପଣ ରଥ କରି ଜଗନ୍ନାଥଙ୍କୁ ବୁଲା ଯାଉଛି ଏବଂ ଚାଉଳ ସଂଗ୍ରହ କରାଯାଉଛି ତାହା ଜଗନ୍ନାଥ ସଂସ୍କୃତି ପାଇଁ କେତେ ଦୂର ଯୁକ୍ତିଯୁକ୍ତ ବୋଲି ବିଜେପି ପ୍ରଶ୍ନ କରିଛି । ଜଗନ୍ନାଥଙ୍କୁ ବିଜେଡି ଭୋଟ୍ ପାଇଁ ବ୍ୟବହାର କରୁଛି । ଜଗନ୍ନାଥ କେଉଁ ଦଳର ନୁହନ୍ତି, ସେ ସାରା ବିଶ୍ୱର ନେତା ବୋଲି ବିଜେପି କହିଛି ।

ସୂଚନାଯୋଗ୍ୟ, ପରିକ୍ରମା ପ୍ରକଳ୍ପ ଓ ଅର୍ପଣ ରଥକୁ ନେଇ ବିବାଦ ତେଜିବାରେ ଲାଗିଛି । ଗାଁ ଗାଁରେ ଅର୍ପଣ ରଥକୁ ନେଇ ବିରୋଧ ଦେଖା ଦେଲାଣି । ଲୋକେ ସିଧାସଳଖ ଏହା ବିଜେଡିର କାର୍ଯ୍ୟକ୍ରମ ବୋଲି କହୁଥିବା ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରୁ ଦେଖିବାକୁ ମିଳୁଛି । ମନମୋହନ ସାମଲଙ୍କ ପୂର୍ବରୁ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ରାଜ୍ୟ ସରକାରଙ୍କୁ କଡା ଶବ୍ଦରେ ସମାଲୋଚନା କରିଛନ୍ତି ।