Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଦ୍ମପୁର କେବେ ହେବ ଜିଲ୍ଲା ? ମାନ୍ୟତା ନ ମିଳିବାରୁ ୧୨ ଘଂଟିଆ ବନ୍ଦ ଡାକରା

ପଦ୍ମପୁର: ଉପ ନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମପୁରକୁ ଜିଲ୍ଲା କରାଯିବ ବୋଲି ଘୋଷଣା କଲେ । ରାଜ୍ୟ ମୁଖିଆଙ୍କ ଏହି ଘୋଷଣା ଶୁଣି ଗଦଗଦ ହୋଇଗଲେ ପଦ୍ମପୁରବାସୀ । ଆଉ ବିପୁଳ ଭୋଟ୍ ଦେଇ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ । ଏପରିକି ରାଜ୍ୟ ସରକାର ଘୋଷଣା କରିଥିଲେ ୨୦୨୩ ଡିସେମ୍ବର ସୁଦ୍ଧା ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବ । ହେଲେ ଜିଲ୍ଲା ହେବାର ସ୍ୱପ୍ନ ଦେଖୁଥିବା ପଦ୍ମପୁରବାସୀଙ୍କ ଏହି ସ୍ୱପ୍ନ ଏ ଯାଏ ପୂରଣ ହୋଇ ପାରିନି । ଫଳରେ ଏବେ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଲାଣି । ଏହିକ୍ରମରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦ୍ମପୁର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ସତ୍ତ୍ୱେ ଜିଲ୍ଲା ଘୋଷଣା ନହେବାରୁ ପ୍ରତିବାଦସ୍ବରୂପ ମଙ୍ଗଳବାର ଗାଇସିଲେଟ, ପଦ୍ମପୁର, ଝାରବନ୍ଧ ଓ ପାଇକମାଳରେ ବନ୍ଦ ପାଳିତ ହେଉଛି। ସମଗ୍ର ପଦ୍ମପୁରରେ ବନ୍ଦ ପ୍ରଭାବ ପରିଲକ୍ଷିତ ହୋଇଛି। ଦୋକାନ ବଜାର ବନ୍ଦ ଥିବା ବେଳେ ଯାନବାହାନ ଯାତାୟତ ମଧ୍ୟ ବନ୍ଦ ରହିଛି। ଝାରବନ୍ଧ, ପାଇକମାଲ, ଧୁମାଭଟା, ଲଖମରା, ଦହିତା, ଗାଇସିଲେଟ, ମେଲଛାମୁଣ୍ତା, ଛିନ୍ଦେକେଲା, ଗୁଦେରପାଲି, କେରମେଲି, ବରତୁଣ୍ତା ଓ ଅନ୍ୟାନ୍ୟ ଗ୍ରାମାଞ୍ଚଳରେ ରାସ୍ତା ବନ୍ଦ କରାଯାଇଛି। ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାରଣରେ ଯାନବାହାନ ଛଡା ଯାଉନାହିଁ। ଅନ୍ୟ ବନ୍ଦ ତୁଳନାରେ ଜିଲ୍ଲା ଦାବି ବନ୍ଦ ପ୍ରବଳ ପ୍ରଭାବଶାଳୀ ହୋଇଛି।

ଲୋକଙ୍କ ଅଭିଯୋଗ ଆମକୁ ଜିଲ୍ଲା କରାଯିବାର ମିଠା ମିଠା ସ୍ୱପ୍ନ ଦେଖାଇ ଭୋଟ୍ ନେଇଗଲେ । କିନ୍ତୁ ଏ ଯାଏ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇ ପାରିଲା ନାହିଁ । ଉଲ୍ଲେଖନୀୟ ପଦ୍ମପୁର ଜିଲ୍ଲା ମାନ୍ୟତା ଏବେ ଆଇନଗତ ପେଂଚରେ ଫସି ଯାଇଛି । ସମୀକ୍ଷକଙ୍କ ମତରେ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇବା ଏତେ ସହଜ ନୁହେଁ । ରାଜ୍ୟ ସରକାର କେବଳ ନିଜର ଭୋଟ୍ ବ୍ୟାଙ୍କ ପାଇଁ ଏମିତି ବଡ ଘୋଷଣା କରି ପଦ୍ମପୁରବାସୀଙ୍କୁ ଭୋକୁଆ ବନାଇଥିବା ବିରୋଧୀ ବିଜେପି ଓ କଂଗ୍ରେସ କହିଛନ୍ତି ।