ସରିଲା ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାମ, ପ୍ରଶ୍ନ ଉଠିଲାଣି- ସଂଗୃହୀତ ଗୁଆ-ଚାଉଳ ଯିବ କୁଆଡେ ଓ କଣ ହେବ ?


ପୁରୀ: ବହୁ ପ୍ରତୀକ୍ଷିତ ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଗତକାଲି ଲୋକାର୍ପିତ ହୋଇଛି । ଏଥିସହ ଜଗନ୍ନାଥ ମନ୍ଦିର ଇତିହାସରେ ଏକ ନୂତନ ଫର୍ଦ୍ଦ ଯୋଡି ହୋଇ ଯାଇଛି । ଏ ନେଇ ସମଗ୍ର ରାଜ୍ୟରେ ଆଧ୍ୟାତ୍ମିକ ମାହୋଲ ଦେଖିବାକୁ ମିଳିଥିଲା । ଚାରିଆଡେ ପରିବେଶ ଜଗନ୍ନାଥମୟ ହୋଇଥିଲା । ଏମିତି ହେବା ସ୍ୱାଭାବିକ କାରଣ ଓଡିଆ ଜଗା ହେଉଛି ମଉଡ ମଣି । ଏବେ ପ୍ରଶ୍ନ ଉଠୁଛି ପରିକ୍ରମା ପ୍ରକଳ୍ପର ପ୍ରଚାର ନାଁରେ ଗାଁ ଗାଁ ବୁଲି ଅର୍ପଣ ରଥ ଜରିଆରେ ଲୋକଙ୍କଠୁ ଯେଉଁ ଗୁଆ ଚାଉଳ ସଂଗ୍ରହ କରାଗଲା ଏବେ ତାହା ଯିବ କୁଆଡେ ଏବଂ ଏହା ହେବ କଣ । ପୁରୀକୁ ଚାଉଳ ଗୁଆ ଯିବ ବୋଲି ପ୍ରଥମେ କୁହାଯାଇଥିଲା । କିନ୍ତୁ ପୁରୀ ଶ୍ରୀମନ୍ଦିରରେ ତ ବାହାରର କୌଣସି ଚାଉଳ ପ୍ରବେଶ ମନା ।

ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଅର୍ପଣ ରଥ ବୁଲିବା ଆଉ ଗୁଆ ଚାଉଳ ଲୋକଙ୍କଠୁ ଗ୍ରହଣ କରିବା ଏ ନିଷ୍ପତି ଶ୍ରୀମନ୍ଦିର ପରିଚାଳନା କମିଟିର ନୁହେଁ । ଏହି କଥା କେବଳ ସରକାର ହିଁ କହି ପାରିବେ । ସରକାରଙ୍କୁ ପଚରାଯାଉ । ତେବେ ଏ ଚାଉଳ ଏବେ ହେବ କଣ । ପୁରୀ ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ପାଇଁ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ଚାରିଆଡେ ଅର୍ପଣ ରଥ ବୁଲିଛି । ଗାଁ ଗାଁରେ ସଂକୀର୍ତନ କରାଯାଇ ପ୍ରତି ଘରୁ ଗୁଆ, ଚାଉଳ ଓ ଟଙ୍କା ନିଆଯାଇଛି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସରିଗଲା । ଏବେ କ୍ୱିଂଟାଲ କ୍ୱିଂଟାଲ ଚାଉଳ ଯିବ କୁଆଡେ ଏବଂ କଣ ହେବ ତାକୁ ନେଇ ଅସମାହିତ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରିଲାଣି । ସାଧାରଣ ଜନତା ଏହାକୁ ନେଇ ପ୍ରଶ୍ନ କରିବା ଆରମ୍ଭ କଲେଣି ।

ଲୋକେ କହିବା ଆରମ୍ଭ କଲେଣି ଯେ, ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ନାମରେ ପ୍ରହସନ ଚାଲିଛି । ଏହା ସରକାରୀ କଳର ଚାଲ । ଲୋକଙ୍କ ଭାବାବେଗ ସହ ଖେଳାଯାଉଛି । ପରିକ୍ରମା ପ୍ରକଳ୍ପର ତ ଉଦଘାଟନ ହେବ, ସେଥିରେ ଗୁଆ ଚାଉଳର ଆବଶ୍ୟକତା କୁଆଡୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି ସାଧାରଣ ଜନତା । ଲୋକଙ୍କୁ ମିଛ କୁହାଗଲା ଯେ, ପ୍ରତି ଘରୁ ସଂଗୃହୀତ ଚାଉଳ ପୁରୀ ଯିବ । ହେଲେ ବାସ୍ତବ କିନ୍ତୁ ଓଲଟା । ଜଗନ୍ନାଥ ଭକ୍ତଙ୍କ ଆସ୍ଥା ସହ ଖେଳାଯାଇଛି, ସେମାନଙ୍କ ପ୍ରତି ଅନ୍ୟାୟ କରାଯାଇଛି । ପରବର୍ତୀ ସମୟରେ ଚାଉଳ ଯିବାର କିଛି ମୂଲ୍ୟ ନାହିଁ ବୋଲି ଲୋକେ କହିଛନ୍ତି ।

ସୂଚନାଯୋଗ୍ୟ, ଅର୍ପଣ ରଥ ବୁଲିବା ପାଇଁ ରାଜ୍ୟ ସରକାର ରାଜସ୍ୱରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ମହାନଗର ଅଧିନରେ ଥିବା ପ୍ରତି ୱାର୍ଡକୁ ୫ ଲକ୍ଷ, ପଂଚାୟତ ପିଛା ୨ ଲକ୍ଷ, ଏନଏସି ୱାର୍ଡକୁ ଏକ ଲକ୍ଷ ଏବଂ ମ୍ୟୁନିସିପାଲଟି ୱାର୍ଡକୁ ୨ ଲକ୍ଷ ଟଙ୍କା ଦିଆଯାଇଥିଲା । ଆଉ ଆଦାୟ ହୋଇଥିବା ଚାଉଳ ଗାଁଗୁଡିକର ମନ୍ଦିର ମାନଙ୍କରେ ଗଦା ହୋଇଥିବା ଦେଖିବାକୁ ମିଳିଛି । ତେବେ ଏହି କ୍ୱିଂଟାଲ କ୍ୱିଂଟାଲ ଚାଉଳ ଯିବ କୁଆଡେ ତାକୁ ନେଇ ପ୍ରଶ୍ନ ଉଠିଛି ।

ଅର୍ପଣ ରଥକୁ ନେଇ ବିବାଦ ମଧ୍ୟ ଦେଇଥିଲା । ଅନେକ ଗାଁରେ ଲୋକେ ଏହାକୁ ବିରୋଧ କରିଥିଲେ । ଜଗନ୍ନାଥଙ୍କୁ ଭିକାରୀ ସଜାଇ ଘର ଘର କରି ବୁଲାଯାଉଥିବା ଲୋକେ ଅଭିଯୋଗ କରିଥିଲେ । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ । ଅର୍ପଣ ରଥ ଭ୍ରମଣ ବିଜେଡିର ନିର୍ବାଚନୀ ପ୍ରଚାର ବୋଲି ବିଜେପି କହିଥିଲା ।

ଅର୍ପଣ ରଥକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ମହାପ୍ରଭୁଙ୍କ ସୋଲ ମୂର୍ତି କରି ଟ୍ରକ ପଛରେ ବୁଲେଇ ଚାଉଳ ମଗାଯାଉଛି । ଅସ୍ମିତାକୁ ଯଦି ବୁଝିଥାନ୍ତେ ତା ହେଲେ ମହାପ୍ରଭୁଙ୍କୁ ଭିକାରୀ ସଜେଇ ନ ଥାନ୍ତେ । ଲୋକେ ଭକ୍ତିରେ ଦେଉଥିବା ଚାଉଳକୁ ବିଜେଡି କର୍ମୀ ଭୋଜି କରୁଛନ୍ତି । ଏ କି ପ୍ରକାର ପ୍ରହସନ ଚାଲିଛି । ମହାପ୍ରଭୁଙ୍କୁ ନେଇ ଏ କି ଖେଳ ଚାଲିଛି ବୋଲି କଂଗ୍ରେସ ମିଡିଆ ସେଲର ମୁଖ୍ୟ ବିଜୟ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ତେବେ ଦେଖିବା ବାକି ରହିଲା ଏ ଚାଉଳକୁ ନେଇ ସରକାର ଆଗାମୀ ଦିନରେ କଣ ନିଷ୍ପତି ନେଉଛନ୍ତି ।