ଜାନୁଆରୀ ୨୧ ନୁହେଁ, ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା, ୨୯ରେ ଆସୁଛନ୍ତି ଖଡଗେ


ଭୁବନେଶ୍ୱର: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସ ଶିବିର ଚଳଚଂଚଳ । ଲୋକଙ୍କ ସହ ସଂପର୍କ ଯୋଡିବା ପାଇଁ ଆସନ୍ତାକାଲି ପରିବର୍ତେ ଫେବୃଆରୀ ୧ରୁ କଂଗ୍ରେସର ବସ୍ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ବସ୍ ଯାତ୍ରା କାର୍ଯ୍ୟକ୍ରମ ନେଇ ଶନିବାର ସୂଚନା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତାରା ବାହିନୀପତି । ୧ ତାରିଖରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ବସ୍ ଯାତ୍ରା ଆରମ୍ଭ ହେବ । ସମସ୍ତ କଂଗ୍ରେସ ନେତାଙ୍କୁ ବସରେ ନେଇ ସାରା ଓଡିଶା ବୁଲିବା କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୯ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିବେ । ବୁଥ୍ କମିଟି, ବ୍ଲକ ଓ ଜିଲ୍ଲା ସଭାପତିଙ୍କ ଉପସ୍ଥିତିରେ ହେବ କାର୍ଯ୍ୟକ୍ରମ ।

ଏହି ବସ୍ ଯାତ୍ରା ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଭ୍ରମଣ କରିବ । ଭୋଟରଙ୍କ ସହ ଯୋଡି ହେବାକୁ କଂଗ୍ରେସ ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଆସନ୍ତା ୨୯ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓଡିଶା ଆସିବେ । ତାଙ୍କର ଏହି ଗସ୍ତରେ ଦଳ ଆଗାମୀ ନିର୍ବାଚନ ପାଇଁ ଦଳର ରଣନୀତି ଉପରେ ଆଲୋଚନା ହେବା ସହ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହେବ । କର୍ମୀଙ୍କୁ ବିଜୟର ମନ୍ତ୍ର ଦେବେ ଖଡଗେ । ଟିକେଟ୍ ବଂଟନ ନେଇ ମଧ୍ୟ ଘୋଷଣା ହୋଇପାରେ । ନିର୍ବାଚନୀ ଇସ୍ତାହାର ଉପରେ ମଧ୍ୟ ଖଡଗେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । କଂଗ୍ରେସର ରାଷ୍ଟ୍ରୀୟ ସଭାପତିଙ୍କ ଓଡିଶା ଗସ୍ତକୁ ନେଇ କଂଗ୍ରେସ ଶିବିର କର୍ମୀ ଚଳଚଂଚଳ ହୋଇ ଉଠିଛି ।