ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ ବିଜେଡିକୁ ଘେରିଛନ୍ତି ବିଜେପି ଓ କଂଗ୍ରେସ । ବିଶେଷ କରି ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେଡିର ସାଧାରଣ ସଂପାଦକ ପ୍ରବଣ ପ୍ରକାଶ ଦାସଙ୍କ ମଧ୍ୟରେ ବାକ ଯୁଦ୍ଧ ଦେଖିବାକୁ ମିଳିଥିଲା । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏକ ସଂସ୍ଥା କରୁଥିବା କହି ବିଜେପିକୁ ଟାର୍ଗେଟ୍ କରିଥିଲା ବିଜେଡି । ଆଉ ଆଜି ଏହାର ଜବାବ ଦେଇଛି ବିଜେପି । ମାହାଲମାଣ୍ଡା କିଏ ବିଜେଡି ତାର ଉତର ଦେଉ ବୋଲି ବିଜେପି ନେତା ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି । ରାଜ୍ୟରେ ମାହାଲମାଣ୍ଡା ଓ ଫେକ୍ ସରକାର ଚାଲିଛି ବୋଲି ବିଜେପି ନେତା କହିଛନ୍ତି ।
ଗୋଲକ ମହାପାତ୍ର କହିଛନ୍ତି, ଫେକ୍ ଲୋକଙ୍କ ନାଁ ମେରିଟ୍ ଲିଷ୍ଟରେ ଆସିଛି । ଫେକ୍ ନେତା ଶାସନରେ ବସିଛନ୍ତି । ଏହି ମାହାଲମାଣ୍ଡା ସରକାର ପାଇଁ ଯୁବକ ଯୁବତୀ ଚାକିରିରୁ ବଂଚିତ ହେଉଛନ୍ତି । ଏହି ଯୁବକଯୁବତୀମାନେ ଫେକ୍ ସରକାରଙ୍କୁ ଓପାଡି ଫିଙ୍ଗିବେ । ଅନଲାଇନ ପରୀକ୍ଷା ଏକ ସଂସ୍ଥା କରେ, ରେଜଲ୍ଟ ରାଜ୍ୟ ସରକାର ପ୍ରକାଶ କରନ୍ତି । କାହାକୁ ନିଯୁକ୍ତି ଦିଆଯିବ ସେ ନିଷ୍ପତି ସରକାରଙ୍କର । ସଂସ୍ଥାର ନୁହେଁ ବୋଲି ବିଜେପି କହିଛି । ନିଜ ଦୋଷ ନ ମାନି ଅନ୍ୟ ଉପରେ କାଦୁଅ ଫୋପାଡିବାର ମାନେ କଣ ।
ସୂଚନାଯୋଗ୍ୟ, ଓଡିଶା କନିଷ୍ଠ ଶିକ୍ଷକ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଲୋୟର ପିଏମଜିରେ ଶହ ଶହ ଆଶାୟୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନଙ୍କର ଅଭିଯୋଗ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଛି । ମାହାଲ ମାଣ୍ଡା ନାଁରେ ଆଡମିଟ୍ କାର୍ଡ ଆସିଛି । ବାପାଙ୍କ ନାଁ ମାହାଲ ପାଣ୍ଡା ପ୍ରୋ ରହିଛି । କେବଳ ସେତିକି ନୁହେଁ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ବଦଳରେ ଓଡିଶାର ମାନଚିତ୍ର ଦେଖିବାକୁ ମିଳିଛି । ଚୂଡାନ୍ତ ଉତର ଖାତା ମିଳି ନ ଥିବା ବେଲେ ଅଧିକ ନମ୍ବର ରଖିଥିବା ଅନେକ ପରୀକ୍ଷାର୍ଥୀ ଙ୍କ ନାଁ ମେରିଟ୍ ଲିଷ୍ଟରେ ନାହିଁ । ସେହିପରି ସରକାର ୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ଘୋଷଣା କରିଥିଲେ ହେଁ ୧୮ ହଜାର ୭୦୦ ଆଶାୟୀଙ୍କ ନାଁ ପ୍ରକାଶ ପାଇଛି । ଏହାକୁ ନେଇ ରାଜନୀତି ଜୋର ଧରିଛି ।