ଭୁବନେଶ୍ୱର: ନିର୍ବାଚନ ପାଖେଇବା ସହ କଂଗ୍ରେସ ଶିବିର ଚଳଚଂଚଳ ହୋଇ ଉଠିଛି । ବିଶେଷ କରି ଅଜୟ କୁମାର ପ୍ରଭାରୀ ହେବା ପରଠୁ ଓଡିଶା କଂଗ୍ରେସ ବିଜୁ ଜନତା ଦଳ ସରକାର ପ୍ରତି କଠୋର ଆଭିମୁଖ୍ୟ ଆପଣେଇଛି । ପ୍ରଭାରୀ ଅଜୟ କୁମାର ବିଜେଡି ଟାର୍ଗେଟ୍ କରିବାରେ କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି । ଏବେ ସେ ସିଧାସଳଖ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିଛନ୍ତି । ପୋଷ୍ଟରକୁ ନେଇ ସେ ବିଜେଡିକୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି ।
ଅଜୟ କୁମାର କହିଛନ୍ତି, ବିଜେଡି ପୋଷ୍ଟରରୁ ବିଜୁ ପଟ୍ଟନାୟକଙ୍କୁ ବାଦ୍ ଦିଆଯିବା ଦେଖାଗଲାଣି । ବିଜୁଙ୍କ ଜାଗାରେ ଏବେ ପାଣ୍ଡିଆନଙ୍କ ଫଟୋ ଲାଗୁଥିବା ଦେଖିବାକୁ ମିଳୁଛି । ଆଉ କିଛି ଦିନ ପରେ ନବୀନଙ୍କ ଫଟୋ କାଢି ପାଣ୍ଡିଆନଙ୍କ ଫଟୋ ରହିବ । ବିପକ୍ଷ ଦଳ ହୋଇଥିଲେ ମଧ୍ୟ ବିଜୁ ବାବୁଙ୍କ ପ୍ରତି ଆମର ସମ୍ମାନ ରହିଛି । ବିଜଙ୍କ ଫଟୋ ବାଦ୍ ଦିଆଯିବା ଓଡିଆ ଅସ୍ମିତା ପ୍ରତି କୁଠାରଘାତ । ବିଜେଡି ପୋଷ୍ଟରରୁ ବିଜୁ ହଟିବା ଓଡିଆ ଅସ୍ମିତା ଓ ଓଡିଆଙ୍କ ପ୍ରତି ଆଘାତ ।
ଏହା ପୂର୍ବରୁ ପ୍ରଭାରୀ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସି ବିଜେଡି ସରକାରଙ୍କୁ ଧୋଇଥିଲେ ଅଜୟ କୁମାର । ସେ କହିଥିଲେ ଏଠାରେ ଆଇଏଏସ ଓ ଆଇପିଏସ୍ ସରକାର ଚଳାଉଛନ୍ତି । ରାଜ୍ୟରେ ମନ୍ତ୍ରୀ, ବିଧାୟକଙ୍କ କୌଣସି ସମ୍ମାନ ବି ନାହିଁ । ଏଠାକାର ନେତା, ମନ୍ତ୍ରୀ ଓ ବିଧାୟକମାନେ ନିଜର ନୈତିକତା ବି ଭୁଲି ଗଲେଣି । ଇଡି ଓ ସିବିଆଇ ରେଡକୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି । ଅଜୟ କୁମାର କହିଛନ୍ତି, ଦେଶର ସବୁଆଡେ ଇଡି, ସିବିଆଇ ରେଡ୍ କରୁଛି । କିନ୍ତୁ ଓଡିଶାରେ ନୁହେଁ । କାରଣ ବିଜେପି ଓ ବିଜେଡି ଭାଇ-ଭାଇ । ନବୀନ-ମୋଦୀ ଗୋଟିଏ, ମିଳିମିଶି ରାଜ୍ୟରେ ଶାସନ କରୁଛନ୍ତି । ଏପରିକି ଲୋକସଭା ନିର୍ବାଚନରେ ବିଜେପିକୁ ୧୫ ସିଟ୍ ଦେବାକୁ ମଧ୍ୟ ବୁଝାମଣା ହୋଇଛି । ବାକି ୬ ସିଟ୍ ପାଇଁ ବିଜେଡି-ବିଜେପି ମଧ୍ୟରେ କଥାବାର୍ତା ଚାଲିଛି ।
ସେ ଏହା ମଧ୍ୟ କହିଥିଲେ, ଏହା ଏକମାତ୍ର ରାଜ୍ୟ ଯେଉଁଠି ବାହାର ଲୋକେ ଓଡିଶାରେ ଭାରି । ଠିକାଦାରୀ ବାହାର ଲୋକଙ୍କୁ ଦିଆଯାଉଛି । ଏଠି କଣ ଠିକାଦାର ନାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, କାରଣ ତାଙ୍କ ଚାରିପଟ ଲୋକେ ଦୁର୍ନୀତିଗ୍ରସ୍ତ । କଂଗ୍ରେସ ଏବେ ପୁରା ଦମରେ ନିର୍ବାଚନ ଲଢିବ । ରାହୁଲ ଗାନ୍ଧୀ ଆସୁଛନ୍ତି, ପୁରା ରାଜ୍ୟ ବୁଲି ଲୋକଙ୍କ ପାଖକୁ ଯିବୁ ବୋଲି ପିସିସି ପ୍ରଭାରୀ କହିଥିଲେ।