ସମ୍ବଲପୁର: ଆସନ୍ତା ଫେବୃଆରୀ ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ପୂର୍ବରୁ ଡିସେମ୍ବର ୨୩ ତାରିଖରେ ହେବାରେ ଥିଲା । ବିଜେପି ସୂତ୍ରରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ରାଜ୍ୟ ଗସ୍ତ ପରିପ୍ରେକ୍ଷୀରେ ଆସନ୍ତା ୩ ତାରିଖରେ ସମ୍ବଲପୁର, ଝାରସୁଗୁଡା ଗସ୍ତ ଚୂଡାନ୍ତ ହୋଇଛି । ଏହି ଦିନ ସମ୍ବଲପୁର ଲୋକସଭା ଓ ଝାରସୁଗୁଡା ବରଗଡ ଲୋକସଭା କ୍ଷେତ୍ରରେ ହଜାର ହଜାର କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ମୋଦୀଙ୍କ ଏହି ଗସ୍ତରୁ ଓଡିଶା ବିଜେପି ନିର୍ବାଚନ ପାଇଁ ରଣହୁଙ୍କାର ଦେବ । ମୋଦୀଙ୍କ ସମ୍ବଲପୁର ଗସ୍ତରୁ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁର ଲୋକସଭା ସିଟରୁ ନିର୍ବାଚନ ଲଢିବା ଚର୍ଚ୍ଚାକୁ ବଳ ଯୋଗାଇଛି ।
ଏହି ଗସ୍ତରେ ପିଏମ ମୋଦୀ ସମ୍ବଲପୁର ଆଇଆଇଏମ ନୂତନ କୋଠାର ଉଦଘାଟନ କରିବେ । ସମ୍ବଲପୁର ନେକଲସ ରୋଡ, ଝାରସୁଗୁଡା ଏଲଏଲସି ଥର୍ମାଲ ପ୍ରାୱାର ପ୍ରକଳ୍ପର ଶିଳାନ୍ୟାସ କରିବେ । ଦଳୀୟସ୍ତରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ପିଏମ ମୋଦୀଙ୍କ ଏହି ଗସ୍ତ ଓଡିଶା ରାଜନୀତି ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ତାଙ୍କର ଭାଷଣ ହିଁ ରାଜ୍ୟ ବିଜେପି ବିଜେଡି ବିରୋଧରେ କେଉଁ ରଣନୀତି ନେଇ ନିର୍ବାଚନ ଲଢିବ ତାର ଦିଗ ପ୍ରସ୍ତୁତ ହେବ । ଖାସ୍ କରି ଧର୍ମେନ୍ଦ୍ର ପ୍ରଧାନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କର ପଶ୍ଚିମ ଓଡିଶାର ଏହି ଗୁରୁତ୍ୱପୂର୍ଣ୍ଣ ଲୋକସଭା ସିଟରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ଜାରି ରହିଛି ।
ଧର୍ମେନ୍ଦ୍ର ମଧ୍ୟ ସମ୍ବଲପୁର ଲୋକସଭା ଅନ୍ତର୍ଗତ ନିର୍ବାଚନ ମଣ୍ଡଳୀ ବୁଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କ ସହ ମିଶୁଛନ୍ତି । ଏହି ଆସନ ବର୍ତମାନ ବିଜେପି ହାତରେ ରହିଛି । ଓଡିଶାର ରାଜନୀତିକୁ ଦେଖିଲେ ସମ୍ବଲପୁର ଲୋକସଭା ସିଟ୍ ହିଁ ଧର୍ମେନ୍ଦ୍ରଙ୍କ ସୁରକ୍ଷିତ ଆସନ ସାବ୍ୟସ୍ତ ହୋଇପାରେ । ଏହି ସଂସଦୀୟ କ୍ଷେତ୍ରରେ ଆସୁଥିବା ୭ଟି ବିଧାନସଭା ସିଟରୁ ୩ଟି ବିଜେପି କବଜାରେ ର ରହିଛି । ଅନ୍ୟପଟେ ପଶ୍ଚିମ ଓଡିଶାର ଭୋଟର ଲୋକସଭା ସିଟ୍ ପାଇଁ ବିଜେପିକୁ ନିଜର ପ୍ରଥମ ପସନ୍ଦ ଭାବେ ଆଗରେ ରଖି ଆସିଛନ୍ତି । ଏହି ସବୁ ସମୀକରଣକୁ ଦେଖିଲେ ମୋଦୀଙ୍କ ସମ୍ବଲପୁର ଗସ୍ତ କରିବା ଧର୍ମେନ୍ଦ୍ରଙ୍କ ପାଇଁ ବଡ ଫାଇଦା ଦେଇପାରେ ।