୨୩ ବର୍ଷ ହେଲା ବିଜେପି ଓ ବିଜେଡି ଲିଭ୍ ଇନରେ ଅଛନ୍ତି: ପ୍ରଭାରୀ ଅଜୟ କୁମାର


ଭୁବନେଶ୍ୱର: ଅଜୟ କୁମାର ଓଡିଶା ପ୍ରଭାରୀ ହେବା ପରଠୁ ରାଜ୍ୟ କଂଗ୍ରେସ ରାଜ୍ୟ ସରକାରଙ୍କ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛି । ଯେତିକି ନିର୍ବାଚନ ସମୟ ପାଖଉଛି ରାଜନୈତିକ ଉଷ୍‌ମତା ବଢିବାରେ ଲାଗିଛି । ଏହି କ୍ରମରେ ଆଜି ପ୍ରେସମିଟ୍ କରି କଂଗ୍ରେସ ପ୍ରଭାରୀ ଅଜୟ କୁମାର ବିଜେଡି ଓ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ୨୩ ବର୍ଷ ହେଲା ବିଜେପି ଓ ବିଜେଡି ଲିଭ୍ ଇନରେ ଥିବା ଅଜୟ କୁମାର କହିଛନ୍ତି ।

ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଦୁଇ ଦଳ ଭିତରେ ବୁଝାମଣା ରହିଛି । ବିମୁଦ୍ରୀକରଣ, ଜିଏସଟି, ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ଆଦି ପ୍ରସଙ୍ଗରେ ବିଜେଡି ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇ ସାରିଛି । ସେଥିପାଇଁ ଇଡି, ସିବିଆଇ ଏଠାକୁ ଆସୁ ନାହାନ୍ତି । ଦୁଇ ଦଳ ମଧ୍ୟରେ ଅବାଧ ସଂପର୍କ ରହିଛି । ଅନ୍ୟପଟେ ମାହାଙ୍ଗା ଡବଲ ମର୍ଡର, ମମିତା ହତ୍ୟାରେ ବିଜେପି ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି, ବିଜେଡି ଆଗକୁ ମିଶି ନିର୍ବାଚନ ଲଢିବେ । ତାମିଲରାଜ, ପାଣ୍ଡିଆନ ରାଜକୁ ବରଦାସ୍ତ କରାଯିବନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ବିଜେଡି-ବିଜେପି ଭିତରେ ଦଳ ହାତ ଗଣ୍ଠି ପକାଇବ । ଯୋଜନା ଅନୁସାରେ କଂଗ୍ରେସ ଭବନରେ ପ୍ରତୀକାତ୍ମକ ଭାବେ ଧୂମଧାମରେ ବିଜେଡି ଓ ବିଜେପିର ବାହାଘର ହେବ । ଏଥିରେ ବିଜେଡି ବର ହେବ ଓ ବିଜେପି କନିଆ ହେବ । ଜନତା ଅତିଥି ସାଜିବେ ଏବଂ ଭୋଜିଭାତର ମଧ୍ୟ ଆୟୋଜନ ହେବ । ଏପରିକି ବାହାଘର ନିମନ୍ତ୍ରଣ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଥିବା କଂଗ୍ରେସ କହିଛି ।