ବର ସାଜିଲା ବିଜେଡି, କନ୍ୟା ହେଲା ବିଜେପି; ବାଜିଲା ସାହାନାଇ, ପଡିଲା ହାତଗଣ୍ଠି


ଭୁବନେଶ୍ୱର: ବାଜିଲା ସାହାନାଇ । ବାଜିଲା ବାହାଘର ଗୀତ । ବେଦୀ ତିଆରି ହେଲା । ପୁରୋହିତ ଆସିଲେ, ଆଉ ହୋମଯଜ୍ଞର ଆୟୋଜନ ହେଲା । ଧୁମଧାମର ସହ ବାହାଘର ହେଲା । ଆପଣମାନେ ଭାବୁଥିବେ ଯେମିତି ପୁଅ ଝିଅ ବାହାଘର ହୁଏ ପରମ୍ପରା ହିସାବରେ ଏହା ବି ସେମିତି ଏକ ବାହାଘର । ନାହିଁ ଆଜ୍ଞା ଏହା କୌଣସି ବର କନ୍ୟା ବାହାଘର ହୋଇନି, ଏହି ବାହାଘର ବିଜେପି ଓ ବିଜେଡି ମଧ୍ୟରେ ହୋଇଛି । ଆଉ କର୍ତା ସାଜିଛି କଂଗ୍ରେସ । ଅର୍ଥାତ କଂଗ୍ରେସ ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଏହି ବାହାଘର କରାଇଛି । ଉଭୟ ଦଳ ମଧ୍ୟରେ ଭିତିରିଆ ଓ ମଧୁର ସଂପର୍କ ଥିବା ଅଭିଯୋଗ କରି ଏମିତି ଅଭିନବ ବାହାଘର କରି ଉଭୟ ବିଜେଡି ଓ ବିଜେପିକୁ କଂଗ୍ରେସ ତାତ୍ସଲ୍ୟ କରିଛି ।

ଏହି ବାହାଘର ଆୟୋଜନ ମାଷ୍ଟର କ୍ୟାଂଟିନ ନିକଟସ୍ଥ କଂଗ୍ରେସ ଭବନରେ ଗୁରୁବାର ଆୟୋଜନ ହୋଇଛି । ବିବାହ ପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ମଧ୍ୟ ବଂଟା ଯାଇଛି । ମାଷ୍ଟର କ୍ୟାଂଟିନ ଛକରେ ବେଦୀ ତିଆରି ହୋଇଥିବା ବେଳେ ବରଯାତ୍ରୀ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି । ବର ଓ କନ୍ୟା ବେଶରେ କଂଗ୍ରେସର ନେତା ମାନେ ବସିଥିଲେ । ବିଜେଡି ବର ଓ ବିଜେପି କନିଆ ସାଜିଥିବା ବେଳେ ଭୋଜିଭାତର ଆୟୋଜନ ମଧ୍ୟ ହୋଇଛି । ତେଲେଙ୍ଗାନା ଥିଓରୀ ଆପଣେଇ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛି କଂଗ୍ରେସ ।

ଏହି କ୍ରମରେ ଆଜି ପ୍ରେସମିଟ୍ କରି କଂଗ୍ରେସ ପ୍ରଭାରୀ ଅଜୟ କୁମାର ବିଜେଡି ଓ ବିଜେପି ଉପରେ ପ୍ରବଳ ବର୍ଷିଛନ୍ତି । ୨୩ ବର୍ଷ ହେଲା ବିଜେପି ଓ ବିଜେଡି ଲିଭ୍ ଇନରେ ଥିବା ଅଜୟ କୁମାର କହିଛନ୍ତି । ସେ କହିଛନ୍ତି, ବିଭିନ୍ନ ପ୍ରସଙ୍ଗରେ ଦୁଇ ଦଳ ଭିତରେ ବୁଝାମଣା ରହିଛି । ବିମୁଦ୍ରୀକରଣ, ଜିଏସଟି, ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭାକୁ ପଠାଇବା ଆଦି ପ୍ରସଙ୍ଗରେ ବିଜେଡି ବିଜେପିକୁ ଅକୁଣ୍ଠ ସମର୍ଥନ ଦେଇ ସାରିଛି । ସେଥିପାଇଁ ଇଡି, ସିବିଆଇ ଏଠାକୁ ଆସୁ ନାହାନ୍ତି।

ଦୁଇ ଦଳ ମଧ୍ୟରେ ଅବାଧ ସଂପର୍କ ରହିଛି । ଅନ୍ୟପଟେ ମାହାଙ୍ଗା ଡବଲ ମର୍ଡର, ମମିତା ହତ୍ୟାରେ ବିଜେପି ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି, ବିଜେଡି ଆଗକୁ ମିଶି ନିର୍ବାଚନ ଲଢିବେ । ତାମିଲରାଜ, ପାଣ୍ଡିଆନ ରାଜକୁ ବରଦାସ୍ତ କରାଯିବନି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।