ଜୟପୁର: ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ମତଭେଦ ଏବଂ ବିବାଦ କଂଗ୍ରେସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଦୁଇ ନେତାଙ୍କ ମଧ୍ୟରେ ଥିବା ତିକ୍ତତା କେବେ କମିବାର ନାଁ ନେଉନାହିଁ। ଇତି ମଧ୍ୟରେ ରାଜସ୍ଥାନ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ମତଭେଦ ପୁଣି ଥରେ ସାମ୍ନାକୁ ଆସିଛି। ଏବେ ଦୁର୍ନୀତି ପ୍ରସଙ୍ଗରେ ସଚିନ ପାଇଲଟ୍ ଗେହଲଟ୍ ସରକାରଙ୍କୁ କାଠଗଡାରେ ଛିଡା କରାଇ ଏପ୍ରିଲ ୧୧ ତାରିଖରେ ଗୋଟିଏ ଦିନ ଆମରଣ ଅନଶନ କରିବେ ବୋଲି କହିଛନ୍ତି। ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍। ଜନତା ଏହା ହୃଦବୋଧ କରିବା ଉଚିତ୍ ନୁହେଁ ଯେ, ଆମ ସରକାର ଦୁର୍ନୀତି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି।
ପାଇଲଟ୍ କହିଛନ୍ତି, ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଚିଠି ମଧ୍ୟ ଲେଖିଥିଲେ। ଆମେ ଗତ ନିର୍ବାଚନରେ ବସୁନ୍ଧରା ସରକାରଙ୍କ ଦୁର୍ନୀତିକୁ ନେଇ ଜନତାଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ତାହା ପାଳନ କରିବା ପାଇଁ ଆମକୁ କିଛି କରିବା ଉଚିତ୍। ନିର୍ବାଚନ ମୁଣ୍ଡ ଉପରେ ଆସି ପହଞ୍ଚିଲାଣି। ଜନତାଙ୍କୁ ଜଣାଇବାକୁ ପଡିବ ଯେ, ଆମେ ସେମାନଙ୍କର ବିଶ୍ଵାସ ରଖି ପାରିଛୁ। ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିର କୌଣସି ଉତ୍ତର ଦେଇନଥିବା ପାଇଲଟ୍ କହିଛନ୍ତି।
ପାଇଲଟଙ୍କ କହିବା କଥା ରାଜସ୍ଥାନରେ ଆମେ ନା ତଦନ୍ତକାରୀ ସଂସ୍ଥାର ଉପଯୋଗ କରୁଛୁ ନା କୌଣସି କାର୍ଯ୍ୟାନୁଷ୍ଠାନ ନେଉଛୁ। ହେଲେ ଆମର କାର୍ଯ୍ୟକର୍ତ୍ତା ଏବଂ ଜନତାଙ୍କୁ ଏହା ହୃଦବୋଧ ହେବା ଉଚିତ୍ ନୁହେଁ ଆମ କାମରେ ଏବଂ କହିବାରେ ବହୁତ ବଡ ପାର୍ଥକ୍ୟ ରହିଛି। ବସୁନ୍ଧରା ରାଜେ ସରକାରଙ୍କ କାର୍ଯ୍ୟକାଳରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବା ଜରୁରୀ। ତାଙ୍କ କହିବା କଥା ଗତ ନିର୍ବାଚନ ପୂର୍ବରୁ କଂଗ୍ରେସ ନିକଟରେ ମାତ୍ର ୨୧ଟି ଆସନ ଥିଲା। ନିର୍ବାଚନରେ ଜନତା ଆମ ଉପରେ ବିଶ୍ଵାସ ପ୍ରକଟ କଲେ ଏବଂ ଆମକୁ ୧୦୦ ଆସନରେ ବିଜୟୀ କରାଇଥିଲେ। ଜନତାଙ୍କୁ ଏହା ଲାଗିବା ଉଚିତ୍ ନୁହେଁ ଯେ ନିର୍ବାଚନ ଜିତିବା ପରେ ଆମେ ନିଜ ପ୍ରତିଶ୍ରୁତିରୁ ଓହରି ଗଲୁ। କାର୍ଯ୍ୟାନୁଷ୍ଠାନ ନିଆନଗଲେ ଲୋକଙ୍କୁ ଲାଗିବ ଯେ, ଆମର ବିଜେପି ସହ ଲିଙ୍କ୍ ରହିଛି।
ପାଇଲଟ୍ କହିଛନ୍ତି, କେନ୍ଦ୍ର ସରକାର ନିଜ ଏଜେନ୍ସିକୁ କେଉଁ ଭଳି ଦୁରୁପଯୋଗ କରୁଛି ତାହା ସାରା ଦେଶବାସୀ ଦେଖୁଛନ୍ତି। ବିରୋଧୀଙ୍କୁ ଟାର୍ଗେଟ୍ କରି ଜେଲରେ ଭର୍ତ୍ତି କରାଯାଉଛି। ଆମେ ନିର୍ବାଚନରେ ଯେବେ ଜନତାଙ୍କ ନିକଟକୁ ଯିବା ସେହି ସମୟରେ ଆମ ନିକଟରେ ସାହାସ ଥିବା ଦରକାର ଯେ, ଆମେ ଠିକ୍ ଅଛୁ।