କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ର ଗଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଅଁସିଲ୍ ଗାଁରେ ନିର୍ମାଣ ହେଉଥିବା ପାଣିଟାଙ୍କି ଉପରେ ଚଢି ଜଣେ ଶ୍ରମିକ ଆତ୍ମହତ୍ୟା ଚେତାବନୀ ଦେବା ଓ ତାକୁ ଉଦ୍ଧାର କରିବା ପାଇଁ ଆଠ ଘଣ୍ଟା କାଳ ଉଦ୍ଧାରକାରୀ ଦଳକୁ ନାକେଦମ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଯାଇଛି l ଯୁବକ ଜଣକ ନବରଙ୍ଗପୁର ଜିଲ୍ଲାର କୁମାର ଗୁଡା ଗାଁ ର ମହେଶ ହୋଇଥିବା ବେଳେ ବୟସ ତାର ୨୮ବର୍ଷ ହେବ । ପାଣି ଟାଙ୍କି ଉପରେ ଚଢି ଯାଇ ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀ ମାନେ ସ୍ଥାନୀୟ ରିଷିଡା ପୁଲିସ ଫାଣ୍ଡି ଓ ଅଗ୍ନିଶ୍ରମ ବିଭାଗ କୁ ସୂଚନା ଦେଇଥିଲେ l ଖବର ପାଇ ମ ରାମପୁର ଥାନାଧିକାରୀ ସୁଦର୍ଶନ ନାଏକ, ରିଷିଡା ଫାଣ୍ଡିଅଧିକାରୀ ବିପିନ ବିହାରୀ ମିଶ୍ର ସଦଳବଳେ ଓ ଅଗ୍ନିଶମ କର୍ମଚାରୀ, ବନ ବିଭାଗ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ଦୀର୍ଘ ସମୟ ଯାଏ ବିଫଳ ହୋଇଥିଲେ l ଯୁବକ ଜଣକ ହାତରେ ଗୋଟେ ଛୋଟ ବାଡି ଧରିଥିଲା l ତହସିଲଦାର ଅରୁଣ ବର୍ଗେ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରୁଥିଲେ l ତେବେ ଦୀର୍ଘ ୮ ଘଣ୍ଟା କାଳ ଉଦ୍ୟମ କଲାପରେ ତାକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା l ଉକ୍ତ ବ୍ୟକ୍ତି କିଛି ମାସ ତଳେ ବି ଏପରି କରିବାକୁ ଉଦ୍ୟମ କରୁଥିଲା ବୋଲି ଆଲୋଚନା ହେଉଛି l ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅନୁସାୟା ଭଞ୍ଜ ଙ୍କୁ ପଚାରିବାରୁ ଶ୍ରମିକ ଜଣକ କାହିଁକି ଏଭଳି କରିଛନ୍ତି ଜଣାପଡୁନାହିଁ, କିନ୍ତୁ ତାଙ୍କର ମସ୍ତିଷ୍କ ଠିକ ରହୁ ନ ଥିବା ଶ୍ରମିକଙ୍କ ମାନଙ୍କ କଥାରୁ ଅନୁମାନ କରାଯାଉଛି ବୋଲି କହିଛନ୍ତି