ଝାରସୁଗୁଡା: ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି। ବିଜେଡି ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ମୁଖ୍ୟ ବିରୋଧୀ ବିଜେପି ଉପରେ ସଭିଙ୍କ ନଜର। ପ୍ରାର୍ଥୀ ଘୋଷଣା ପରଠୁ ଦୀପାଳି ଦାସ ଜୋରଦାର ପ୍ରଚାରରେ ଲାଗି ପଡିଛନ୍ତି। ବିଜେଡି ପଦ୍ମପୁର ଫର୍ମୁଲା ଝାରସୁଗୁଡାରେ ଲାଗୁ କରି ଏକତରଫା ବିଜୟ ହାସଲ କରିବ ବୋଲି ଦୃଢ ନିଶ୍ଚିତ ରହିଛି। ସେପଟେ ଆସନ୍ତା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିବ ବୋଲି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ତେବେ ବିଜେପିର ଯୁବ ନେତା ତଥା ସଂପାଦକ ଟଙ୍କଧର ତ୍ରିପାଠୀ ଦଳ ପକ୍ଷରୁ ପ୍ରାର୍ଥୀ ହେବା ଆପାତଃ ସ୍ପଷ୍ଟ ଲାଗୁଛି । ଯଦି ଏମିତି ହୁଏ ତେବେ ଝାରସୁଗୁଡା ମଇଦାନରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିପାରେ ଅର୍ଥାତ ଦୀପାଳି ବନାମ ଟଙ୍କଧର।
ଅପରପକ୍ଷେ ତୃଣମୂଳସ୍ତରରେ ଭୋଟ୍ ପାଇବା ପାଇଁ ବ୍ଲକ ଓ ମ୍ୟୁନିସିପାଲିଟିରେ ବି ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ତେବେ କଂଗ୍ରେସ ବହୁ ପଛରେ ପଡିଯାଇଛି । କଂଗ୍ରେସ କେବେ ପ୍ରାର୍ଥୀ ଚୂଡାନ୍ତ କରିବ ଆଉ କେବେ ଘୋଷଣା କରିବ ସେ ନେଇ ଦଳ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ନିକଟରେ ହୋଇଥିବା ସମସ୍ତ ଉପନିର୍ବାଚନ ମଧ୍ୟରୁ କେବଳ ଧାମନଗରକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଆସନରେ ବାଜି ମାରିଥିଲା ବିଜେଡି । ଏପରି କି ବାଲେଶ୍ୱରରେ ବିଜେପିର ବିଧାୟକ ମଦନମୋହନ ଦତ୍ତଙ୍କ ମୃତ୍ୟୁ ପରେ ହୋଇଥିବା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ଜିତି ବିଜେପିର ସିଟ୍କୁ ବିଜେଡି ଅକ୍ତିଆରକୁ ଆଣି ପାରିଥିଲେ ।
ପଦମପୁର ଉପନିର୍ବାଚନରେ ବର୍ଷା ସିଂ ବରିହା ଜିତିବା ପରେ ସେଠାକାର ଫର୍ମୁଲା ଝାରସୁଗୁଡ଼ାରେ ଆପଣାଇବା ସହ ଉପନିର୍ବାଚନ ଏକତରଫା ଜିତିବ ବୋଲି ବିଜେଡି ଦୃଢୋକ୍ତି ପ୍ରକାଶ କରିଛି । ତେବେ ଏଠାରେ ବିଜେଡିକୁ କଡା ଟକ୍କର ଦେବାକୁ ବିଜେପି ମଧ୍ୟ ରଣନୀତି ପ୍ରସ୍ତୁତ କରୁଥିବା ଜଣା ପଡିଛି। ବିଜେପି ଟଙ୍କଧର ତ୍ରିପାଠୀଙ୍କୁ ମଇଦାନକୁ ଓହ୍ଲାଇ ବିଜେଡିକୁ ମାତ୍ ଦେବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଦୀପାଳି ଦାସ ବାପା ନବ ଦାସଙ୍କ ବଳରେ ନିଜର ଚେହେରା ଲୋକଲୋଚନକୁ ଅାଣିଥିବା ବେଳେ ଟଙ୍କଧର ନିଜ ଦମରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଯଦି ଦଳ ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ କରେ ତେବେ ଝାରସୁଗୁଡା ଉପନିର୍ବାଚନରେ ଦୁଇ ପ୍ରମୁଖ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ଵନ୍ଦ୍ଵିତା ଦେଖିବାକୁ ମିଳିପାରେ। ଟଙ୍କଧର ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ରହି ସାରିଛନ୍ତି। ବର୍ତ୍ତମାନ ସେ ବିଜେପି ରାଜ୍ୟ ସଂପାଦକ ଦାୟିତ୍ଵ ତୁଲାଉଛନ୍ତି। ଯୁବ ବର୍ଗଙ୍କ ମଧ୍ୟରେ ସେ ଏକ ପରିଚିତ ଚେହେରା। ଅନେକ ପ୍ରସଙ୍ଗରେ ସେ ବିଜେଡି ସରକାରଙ୍କୁ ଶାଣିତ ସ୍ଵରରେ ହମଲା କରି ଅକଳରେ ପକାଇଛନ୍ତି। ଝାରସୁଗୁଡାରେ ମଧ୍ୟ ତାଙ୍କର ଜନାଧାର ରହିଛି, ଯାହା ନିଶ୍ଚିତ ରୂପେ ଦୀପାଳି ଦାସଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ। ଯଦିଓ ଦୀପାଳି ଅନୁକମ୍ପାମୂଳକ ଭୋଟ୍ ହାତେଇ ନିର୍ବାଚନୀ ବୈତରଣୀ ପାରି ହେବାକୁ ଆଶା ରଖିଛନ୍ତି, ତଥାପି ତାଙ୍କୁ ସେତେଟା ସହଜ ହେବ ନାହିଁ।
ଉପ ନିର୍ବାଚନରେ ବିଜେପି ସର୍ବଦା ପ୍ରସ୍ତୁତ ଥାଏ। ଆମେ ଲୋକଙ୍କ ସହ ଏବଂ ସେମାନଙ୍କର ସମସ୍ୟା ସହ ସର୍ବଦା ଅଛୁ। ଲୋକଙ୍କ ପ୍ରସଙ୍ଗ ହିଁ ଭାରତୀୟ ଜନତା ପାର୍ଟିର ପ୍ରସଙ୍ଗ। ଦଳର କୌଣସି ସ୍ଵତନ୍ତ୍ର ପ୍ରସଙ୍ଗ ନଥାଏ। ବିଜେଡିର ୨୩ ବର୍ଷର ଶାସନ କାଳରେ ରାଜ୍ୟରେ ସବୁଠୁ ଉପେକ୍ଷିତ ଏବଂ ଅବହେଳିତ ଜିଲ୍ଲା ହେଉଛି ଝାରସୁଗୁଡା। ଓଡିଶାକୁ ସର୍ବାଧିକ ରାଜସ୍ଵ ଦେଉଥିବା ଜିଲ୍ଲା ମଧ୍ୟରେ ରହିଛି ଝାରସୁଗୁଡା। କିନ୍ତୁ ଏଠାକାର ବାସିନ୍ଦା ଆନୁସଙ୍ଗିକ ସୁବିଧାରୁ ବଞ୍ଚିତ। ତେବେ ଉପ ନିର୍ବାଚନରେ ବିଜେପି ହାଇକମାଣ୍ଡ ଯାହାଙ୍କୁ ପ୍ରାର୍ଥୀ କରିବ ତାଙ୍କୁ ନେଇ ଦଳ ମଇଦାନକୁ ଓହ୍ଲାଇବ ବୋଲି ଟଙ୍କଧର ତ୍ରିପାଠୀ କହିଛନ୍ତି।
ସୂଚନାଯୋଗ୍ୟ, ସ୍ଵାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ହତ୍ୟା ପରେ ଝାରସୁଗୁଡା ଆସନ ଖାଲି ପଡିଛି। ଏହି ଆସନରେ ମେ ୧୦ରେ ଉପ ନିର୍ବାଚନ ହେଉଥିବା ବେଳେ ଭୋଟ୍ ଫଳାଫଳ ମେ ୧୩ରେ ପ୍ରକାଶ ପାଇବ। ଏପ୍ରିଲ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଉଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ ୨୦। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଏପ୍ରିଲ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଏପ୍ରିଲ ୨୪ ରହିଛି।