Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଙ୍ଗପୁର ପୋଲିସ ତରଫରୁ ସଡକ ସୁରକ୍ଷା କାଯ୍ୟକ୍ରମ

ବେଲଗୁଣ୍ଠା-୧୦/୦୪-ସଡ଼କ ଦୁର୍ଘଟଣାରେ ଗୋଟିଏ ବି ଜୀବନ ହାନି ନ ହେବାର ଲକ୍ଷ୍ୟ ନେଇ ଆଜି ଗାଙ୍ଗପୁର ପୋଲିସ୍ ପକ୍ଷରୁ କ୍ଷତ୍ରିୟବରପୁର ଠାରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟ,ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କେନ୍ଦୁପଦର ମହାବିଦ୍ୟାଳୟ, ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ମହାବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ କ୍ଷତ୍ରିୟବରପୁର ମୁଖ୍ୟ ସଡ଼କରେ ଏକ ସଡକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ହେଲମେଟ୍ ପିନ୍ଧିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମଦ ପିଇ ଗାଡ଼ି ନ ଚଳାଇବା ସମ୍ପର୍କରେ ଜନ ସାଧାରଣଙ୍କୁ ସଚେତନ କରିଥିଲେ I ଏହି ଅବସରରେ ହେଲମେଟ୍ ପିନ୍ଧି ନଥିବା ବାଇକ୍ ଚାଳକ ଏବଂ ସଡ଼କ ସୁରକ୍ଷାକୁ ଅବମାନନା କରୁ୍ଥିବା ଗାଡ଼ି ଚାଳକଙ୍କୁ ପୋଲିସ୍ ପକ୍ଷରୁ ଗୋଲାପ ଫୁଲ ଏବଂ ଲିଫଲେଟ୍ ପ୍ରଦାନ କରାଯାଇ ସଡ଼କ ସୁରକ୍ଷା ନିୟମକୁ ମାନିବାକୁ ଅନୁରୋଧ କରାଯାଇଥିଲା ।କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯାୟରେ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଡ଼କ ସଚେତନତା ଉପରେ ଏକ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଥିଲା ।କାର୍ଯ୍ୟକ୍ରମର ତୃତୀୟ ପର୍ଯ୍ୟୟରେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହେବା ସହ ପ୍ରୋଜେକ୍ଟର୍ ମାଧ୍ୟମରେ ସଡ଼କ ସୁରକ୍ଷା ସମ୍ପର୍କିତ ଚିତ୍ର ପ୍ରଦର୍ଶିତ ହୋଇଥିଲା ।ଅନୁଷ୍ଠାନର ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାଓ ଯୋଗଦେଇ ସଡ଼କ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହିତ ଆଗାମୀ ଦିନରେ ଭଞ୍ଜନଗରରେ ଏକ ଟ୍ରମା କେୟାର୍ ସେଣ୍ଟର୍ ପ୍ରତିଷ୍ଠା କରାଯିବା ସହିତ ଓଲା ଉବେର୍ ଭଳି ଡ଼ିଜିଟାଲ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ ମେଡ଼ିକାଲ୍ ରେ ପହଞ୍ଚାଇଲେ ସାହାଯ୍ୟକାରୀ ବ୍ୟକ୍ତିଙ୍କୁ ପୁରସ୍କାର ରାଶି ସହିତ ଯାବତୀୟ ଖର୍ଚ୍ଚ ଆଞ୍ଚଳିକ ପରିବହନ ବିଭାଗ ବହନ କରିବ ବୋଲି ଆରଟିଓ ଶ୍ରୀ ରାୟ ପ୍ରକାଶ କରିଥିଲେ ।ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଅଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର, ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ,ଏନସିସି ଅଫିସର୍ ଜୟରାମ ବିଶ୍ୱାଳ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ରଜତ କିରଣ ମହାପାତ୍ର,ପିକେ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିବା ଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା ।ଆଜିର କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଳା ଆରକ୍ଷୀ ଅଧିକ୍ଷକ ଜଗ ମୋହନ ମୀନା ଉଚ୍ଚ ପ୍ରଶଂସା କରିଥିଲେ ।ଲୋକଙ୍କର ଜନ ଜୀବନ ସୁରକ୍ଷା ପୋଲିସର ପ୍ରଥମ କର୍ତ୍ତବ୍ୟ ହୋଇଥିବା ବେଳେ ଲୋକଙ୍କ ଧନ ଜୀବନ ସୁରକ୍ଷା ଉଦ୍ଦେଶ୍ୟରେ ସଡ଼କ ସୁରକ୍ଷା ଆଇନ୍ ପାଳନ କ୍ଷେତ୍ରରେ ପୋଲିସ୍ କଡ଼ା ଆଭିମୁଖ୍ୟ ରଖିବା ସହିତ ଲୋକଙ୍କୁ ସାହାଯ୍ୟ କରିବାକୁ ସର୍ବଦା ପ୍ରସ୍ତୁତ ଥିବା ଏସପି ଜଗ ମୋହନ ମୀନା ନିଜ ପ୍ରତିକ୍ରିୟାରେ କହିଥିଲେ । ଅଧ୍ୟାପକ ସୁଶାନ୍ତ ଲେଙ୍କା ଅତିଥି ପରିଚୟ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନା ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ ସାମନ୍ତରାୟ,ଅଜିତ୍ କୁମାର ମଲ୍ଲିକ୍,ଆରତତ୍ରାଣ ଦାନୀ, ଏଏସ୍ଆଇ ଯୁଧିଷ୍ଠିର ମାଝୀ,କାଳୀ ଚରଣ ପାଢୀଙ୍କ ସମେତ ସମସ୍ତ ପୋଲିସ୍ କର୍ମଚାରୀ, ପ୍ରେସକ୍ଲବ ଉପଦେଷ୍ଟା ସନ୍ତୋଷ କୁମାର ବିଷୋୟୀ,ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ଏବଂ ଗାଙ୍ଗପୁର ମାଆ ବୁଢାକେନ୍ଦୁ ଅଟୋ ଚାଳକ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ