ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତି ପରେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛି । ୱାଇନାଡ ସାଂସଦ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ବିଜେପି ନିର୍ବାଚନୀ ବଣ୍ଡକୁ ଲାଂଚ ଓ କମିଶନ ଦେବାର ମାଧ୍ୟମ କରିଥିଲା । ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟ ବଣ୍ଡ ଯୋଜନାକୁ ଅସାମ୍ବିଧାନିକ ଦର୍ଶାଇ ଏହାକୁ ରଦ୍ଦ କରିଛନ୍ତି ।
ଋାହୁଲ କହିଛନ୍ତି, ନରେନ୍ଦ୍ର ମୋଦୀଙ୍କ ଭ୍ରଷ୍ଟ ନୀତିର ଆଉ ଏକ ପ୍ରମାଣ ଆପଣଙ୍କ ସାମ୍ନାରେ ରହିଛି । ବିଜେପି ଇଲେକ୍ଟ୍ରୋରାଲ ବଣ୍ଡକୁ ଲାଂଚ ଓ କମିଶନ ନେବାର ମାଧ୍ୟମ କରିଥିଲା । ଆଜି ଏହା ଉପରେ ମୋହର ବାଜିଛି । ପାର୍ଟିର ସାଧାରଣ ସଂପାଦକ ଜୟରାମ ରମେଶ କହିଛନ୍ତି, ସୁପ୍ରିମକୋର୍ଟ ମୋଦୀ ସରକାରଙ୍କ ବହୁ ପ୍ରଚାରିତ ନିର୍ବାଚନୀ ବଣ୍ଡ ଯାହା ସଂସଦରେ ପାରିତ ହୋଇଥିଲା ତାକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି । ଏହି ନିଷ୍ପତି ବହୁତ ସ୍ୱାଗତଯୋଗ୍ୟ ଏବଂ ଏହା ନୋଟ୍ ଉପରେ ଭୋଟର ଶକ୍ତିକୁ ଆହୁରି ମଜବୁତ କରିବ ।
ଉଦ୍ଧବଙ୍କ ଶିବସେନାର ଆଦିତ୍ୟ ଠାକରେ କହିଛନ୍ତି, ଏକ ଅସାମ୍ବିଧାନିକ ଯୋଜନାକୁ ମାନନୀୟ ସର୍ବୋଚ୍ଚ ନ୍ୟାୟାଳୟ ସମାପ୍ତ କରିଛନ୍ତି । ଏହା ପରେ ମହାରାଷ୍ଟ୍ରକୁ ଆଶା ରହିଛି ଯେ, ଅସାମ୍ବିଧାନିକ ଶାସନକୁ ମଧ୍ୟ ସମାପ୍ତ କରାଯିବ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତିକୁ ଆଦିତ୍ୟ ସ୍ୱାଗତ କରିଛନ୍ତି । ଆଶା କରୁଛୁ ଏବେ ନିର୍ବାଚନରେ ଆହୁରି ପାରଦର୍ଶିତା ଆସିବ । ବାମନେତା ସୀତାରାମ ୟେଚୁରୀ ମଧ୍ୟ କୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି ।
ସୁପ୍ରିମକୋର୍ଟ ନିଷ୍ପତିଙ୍କ ବଡ କଥା
ନିର୍ବାଚନୀ ବଣ୍ଡ ସ୍କିମ ଅସାମ୍ବିଧାନିକ।
ନିର୍ବାଚନୀ ବଣ୍ଡ ସ୍କିମ ଆରଟିଆଇର ଉଲ୍ଲଂଘନ କରୁଛି ।
ଇନକମ ଟ୍ୟାକ୍ସ ଆକ୍ଟରେ ୨୦୧୭ରେ କରାଯାଇଥିବା ପରିବର୍ତନ ଅସାମ୍ବିଧାନିକ ।
ଜନପ୍ରତିନିଧି କାନୁନରେ ୨୦୧୭ରେ ହୋଇଥିବା ପରିବର୍ତନ ମଧ୍ୟ ଅସାମ୍ବିଧାନିକ
କମ୍ପାନୀ ଆକ୍ଟରେ ହୋଇଥିବା ପରିବର୍ତନ ମଧ୍ୟ ଅସାମ୍ବିଧାନିକ ।
ଏସବିଆଇ ସମସ୍ତ ପାର୍ଟିକୁ ମିଳିଥିବା ଚାନ୍ଦାର ସୂଚନା ମାର୍ଚ୍ଚ ୬ ତାରିଖ ସୁଦ୍ଧା ନିର୍ବାଚନ ଆୟୋଗକୁ ଦେଉ ।
ନିର୍ବାଚନ ଆୟୋଗ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଏହି ସୂଚନା ନିଜର ୱେବସାଇଟରେ ପ୍ରକାଶିତ କରୁ ।