ବିଜେଡି ସରକାର ବିରୋଧରେ କଂଗ୍ରେସର ୧୦ ବଡ ଅଭିଯୋଗ, ଠିକାଦାରଠୁ ନେଇ ନୂଆ ଓ କାର୍ଯ୍ୟକ୍ରମକୁ ନେଇ ଘେରିଲା


ଭୁବନେଶ୍ୱର: ଯେତିକି ନିର୍ବାଚନ ପାଖେଇ ଆସୁଛି ନିର୍ବାଚନୀ ତାତି ବଢିବାରେ ଲାଗିଛି । ଦୀର୍ଘ ୨୫ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ ସରକାରକୁ ବିତାଡିତ କରିବା ପାଇଁ ବିରୋଧୀ ବିଜେପି ଓ କଂଗ୍ରେସ ନିଜ ନିଜ ସ୍ତରରେ ରଣନୀତି ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଜେଡି ମଧ୍ୟ ଷଷ୍ଠ ଥର କ୍ଷମତା ହାତେଇବା ପାଇଁ ଅନେକ ଲୋଭନୀୟ ଘୋଷଣା କରିବା ସହ ମାଳ ମାଳ ଯୋଜନାର ଶିଳାନ୍ୟାସ ଓ ଲୋକାର୍ପଣ କରି ଚାଲିଛି । ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ୧୦ ଅଭିଯୋଗ ଆଣିଛି । ଏହି ଅଭିଯୋଗକୁ ଆଧାର କରି ଦଳ ବିଜେଡି ବିରୋଧରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବାକୁ ଯାଉଛି ।

ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସର ୧୦ ବଡ ଅଭିଯୋଗ । ଦଳର ପ୍ରଥମ ଅଭିଯୋଗ ଓଡିଶାର ଠିକାଦାର ମାନଙ୍କୁ ଅଣଦେଖା କରାଯାଇ ସବୁ ବଡ ବଡ ପ୍ରଜେକ୍ଟରେ ବାହାର ଠିକାଦାରଙ୍କୁ ଟେଣ୍ଡର ଦିଆଯାଉଛି । ଏଠାକାର ବଡ ବଡ ପ୍ରଜେକ୍ଟ କମ୍ପାନୀକୁ ଛାଡି ବାହାର ଠିକାଦାରଙ୍କୁ ପୋଷା ଯାଉଛି । ଦଳ କହିଛି ଅର୍ପଣ ରଥ ବୁଲାଇ ଚାଉଳ ମଗାଇ ଓଡିଶାର ମଉଡମଣିକୁ ଭିକାରି ସଜାଇ ଦିଆଗଲା । ଏହି ସରକାର ଅମଳରେ ଦୁର୍ନୀତି ଉପରେ ଦୁର୍ନୀତି ବଢିବାରେ ଲାଗିଛି ଆଉ କାର୍ଯ୍ୟାନୁଷ୍ଠାନ ଉପର ଠଉରିଆ ନିଆଯାଉଛି ।

କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି ଯେ, ଚିଟଫଣ୍ଡ କ୍ଷତିଗ୍ରସ୍ତ ପ୍ରତାରିତ ହୋଇଛନ୍ତି । ସେମାନଙ୍କୁ ଏ ଯାଏ କ୍ଷତିପୂରଣ ମିଳିଲା ନାହିଁ । ନିଜର ପରିଶ୍ରମ ଉର୍ପାଜିତ ସଂଚୟ ଟଙ୍କା ବି ପାଇଲେନି କ୍ଷତିଗ୍ରସ୍ତ । ଚାକିରି ମିଳୁନି, ରାଜ୍ୟରେ ବେରୋଜଗାର ବଢିବାରେ ଲାଗିଛି । ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ରାଜ୍ୟରେ ମହିଳା ନିର୍ଯାତାନ ବୃଦ୍ଧି ପାଇ ଚାଲିଛି । ନୂଆ ଓ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟ ସରକାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି । ବିଏସକ୍ୱାଇ ନାଁରେ ଘରୋଇ ମେଡିକାଲର ତୁଷ୍ଟୀକରଣ କରାଯାଉଛି । ଗୋଟିଏ ପଟେ ଦରଦାମ ବୃଦ୍ଧି ହୋଇ ଚାଲିଥିବା ବେଳେ ଅନ୍ୟପଟେ ଚାଷୀଙ୍କ ଆୟ ବୃଦ୍ଧି ହେଉନି । ଏଠି ଅଫିସରମାନେ ବିଜେଡି କର୍ମୀ ସାଜି କାମ କରୁଥିବା କଂଗ୍ରେସ କହିଛି ।

ଅନ୍ୟପଟେ ବିଜେପି କହିଛି ଯେ, ରାଜ୍ୟରେ ଆଗାମୀ ଦୁଇ ସପ୍ତାହ ଭିତରେ ରାଜ୍ୟ ରାଜନୀତିରେ ବଡ ପରିବର୍ତନ ହେବାକୁ ଯାଉଛି । ବିଜେଡିର ଅନେକ ବିଧାୟକ, ସାଂସଦ ଓ ନେତା ଦଳ ଛାଡିବେ । ଯେଉଁମାନେ ଟିକେଟ୍ ପାଇବେନି ସେମାନେ ବିଜେଡି ଛାଡିବେ । ବିଜେପି ସହ ଯୋଗାଯୋଗରେ ଅନେକ ବରିଷ୍ଠ ବିଜେପି ନେତା ମଧ୍ୟ ରହିଛନ୍ତି । ଏଥର ବିଜେଡି ସରକାର ପତନ ହେବ ବୋଲି ବିଜେପି ନେତା ମୋହନ ଚରଣ ମାଝୀ କହିଛନ୍ତି ।