ଶମ୍ଭୁ ବର୍ଡରରୁ ଆସିଲା ଆଶ୍ୱସ୍ତିକର ଖବର, ସରକାରଙ୍କ ଅଫର ଉପରେ କୃଷକଙ୍କ ଚାଲିଛି ମାନସ ମନ୍ଥନ


ଚଣ୍ଡିଗଡ: ହରିୟାଣା ଓ ପଞ୍ଜାବକୁ ସଂଯୋଗ କରୁଥିବା ଶମ୍ଭୁ ବର୍ଡରରେ ଆଜି ସକାଳୁ ସ୍ଥିତି ଉତେଜନାପୂର୍ଣ୍ଣ ଥିଲା । ମାତ୍ର ଏବେ ଆସିଛି ଆଶ୍ୱସ୍ତିକର ଖବର । କୃଷକମାନେ ଆଜି ଦିଲ୍ଲୀ ଚଲୋ ଘୋଷଣା କରିଥିଲେ ଏବଂ ଜେସିବି-ଟ୍ରାକ୍ଟରକୁ ନେଇ ଆଗକୁ ବଢୁଥିଲେ । ଏହା ମଧ୍ୟରେ ସରକାର ପୁଣି ଥରେ ଆଲୋଚନା କରିବାକୁ ପ୍ରସ୍ତାବ ରଖିଛନ୍ତି । ଏହି ଖବର ପରେ ଶମ୍ଭୁ ବର୍ଡରରେ ପୁଣି ଥରେ ଶାନ୍ତି ଦେଖିବାକୁ ମିଳିଛି । କୃଷକ ନେତାମାନଙ୍କ ବୈଠକ ଚାଲିଛି ଏବଂ ବିଚାର ବିମର୍ଶ କରାଯାଉଛି ଯେ ପ୍ରସ୍ତାବ ଉପରେ କଣ ନିଷ୍ପତି ନିଆଯିବ । ସଂଯୁକ୍ତ କିଷାନ ମୋର୍ଚ୍ଚାର ଗୁରନାମ ସିଂ ଚଢୁନୀ ସରକାରଙ୍କ ପକ୍ଷରୁ ମିଳିଥିବା ଆଲୋଚନା ଅଫରକୁ ସ୍ୱାଗତ କରିଛନ୍ତି ।

ବାର୍ତାର ଅଫର ରଖି କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ଏମଏସପି, ନଡା ପୋଡା ଯିବା ସମେତ ସମସ୍ତ ପ୍ରସଙ୍ଗରେ ଆମେ ଆଲୋଚନା କରିବାକୁ ପ୍ରସ୍ତୁତ । ପୁଣି ଥରେ କୃଷକଙ୍କ ସହ ବୈଠକ ପାଇଁ ଆମେ ପ୍ରସ୍ତୁତ । ଆଲୋଚନା ଜାରି ରହିବା ଉଚିତ୍‌, କାରଣ କିଛି ଦିଗରେ ସହମତି ପ୍ରକାଶ ପାଇଥାଏ । ଅର୍ଜୁନ ମୁଣ୍ଡା କହିଛନ୍ତି, ଏ ପର୍ଯ୍ୟନ୍ତ କୃଷକଙ୍କ ପକ୍ଷରୁ ଆଲୋଚନାକୁ ନେଇ କୌଣସି ସୂଚନା ମିଳିନାହିଁ । ମାତ୍ର ଆମର ଅପିଲ୍ କୃଷକମାନେ ଆଲୋଚନା ପାଇଁ ଆସନ୍ତୁ । ସରକାର ଚାହୁଁଛନ୍ତି ଏହାର ସମାଧାନ ତତ୍କାଳିକ ଏବଂ ଦୀର୍ଘ ସମୟ ପାଇଁ ହେଉ ।

ବର୍ତମାନ କୃଷକ ଆଗକୁ ବଢୁ ନାହାନ୍ତି ଏବଂ ପୋଲିସ ମଧ୍ୟ ନିଜର କାର୍ଯ୍ୟାନୁଷ୍ଠାନ ବନ୍ଦ କରିଛି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ପରେ ଶମ୍ଭୁ ବର୍ଡରର ଉଭୟ ପାଶ୍ୱର୍ରେ ସ୍ଥିତି ସ୍ୱାଭାବିକ ରହିଛି । ପୋଲିସ ଲୁହବୁହା ଗ୍ୟାସ୍ ଛାଡିବା ବନ୍ଦ କରିଛି । ଆଉ କୃଷକମାନେ ଜେସିବି ଓ ଟ୍ରାକ୍ଟର ସହ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପକ୍ଷରୁ ବ୍ୟାରିକେଡିଂ ଅଭିମୁଖେ ଆଗକୁ ବଢିବାର ମଧ୍ୟ ଉଦ୍ୟମ କରାଯାଇ ନାହିଁ ।