ଭୁୁବନେଶ୍ୱର: ଆଉ ୨ ଦିନ ପରେ ରାଜ୍ୟରେ ବଢିବ ତାତି । ଗତ ଦିନରେ ପାଗ ମେଘୁଆ ରହିବା ଏବଂ କିଛି କିଛି ସ୍ଥାନରେ ବର୍ଷା ହେବାରୁ ତାପମାତ୍ରା ହ୍ରାସ ପାଇଥିଲା । କିନ୍ତୁ ୧୧ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବଢିବାର ସମ୍ଭାବନା ରହିଛି । ଭୁୁବନେଶ୍ୱର ଆଂଚଳିକ ପାଣିପାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଗତକାଲି କାଲି ଗଜପତିର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ସେହିପରି ଟୁଇନ ସିଟି ଭୁୁବନେଶ୍ୱରରେ ୩୩.୮ ଓ କଟକରେ ୩୧.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ବଲାଙ୍ଗିର, ବୌଦ୍ଧ ଓ ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବାକି ସବୁ ଜିଲ୍ଲାରେ ପାଗ ସୁଖିଲା ରହିପାରେ ।
୧୦ ତାରିଖ ଏବଂ ୧୧ ତାରିଖ କୋରାପୁଟ, ଗଜପତି, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ତେବେ ୧୧ ତାରିଖ ପରେ ପାରଦ ବଢିବ ଏବଂ ପୁଣି ଥରେ ତାତିରେ କଲବଲ ହେବେ ଓଡିଶାବାସୀ ।