ଜୟପୁର: ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ବିଜେପିକୁ ଝଟକା । ଚୁରୁରୁ ଲୋକସଭା ସାଂସଦ ରାହୁଲ କସୱାଁ ବିଜେପି ଛାଡିଛନ୍ତି । ରାଜନୈତିକ କାରଣରୁ ବିଜେପି ଛାଡୁଥିବା ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି । ଏହା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ନିଜ ବାସଭବନରେ ରାହୁଲ କସୱାଁଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟତା ପ୍ରଦାନ କରିଛନ୍ତି । ଏହି ସମୟରେ ରାଜସ୍ଥାନ କଂଗ୍ରେସର ସଭାପତି ଗୋବିନ୍ଦ ସିଂ ଡୋଟାସରା, ରାଜ୍ୟ ପ୍ରଭାରୀ ସୁଖଜିନ୍ଦର ସିଂହ ରାନ୍ଧୱା ଓ ବିରୋଧୀ ଦଳ ନେତା ଟୀକାରାମ ଜୁଲି ଉପସ୍ଥିତ ଥିଲେ ।
କଂଗ୍ରେସରେ ସାମିଲ୍ ହେବା ପରେ ସାଂସଦ ରାହୁଲ କସୱାଁ କହିଛନ୍ତି ମୁଁ କଂଗ୍ରେସ ପାର୍ଟିକୁ ଧନ୍ୟବାଦ ଜଣାଉଛି । ମୋର ଲୋକସଭା ଆସନରୁ ଲୋକଙ୍କ ସ୍ୱର ଶୁଣିବା ଏବଂ ସେମାନଙ୍କର କଥା ବୁଝିବା ପାଇଁ ମୁଁ ଆଗକୁ ମଧ୍ୟ ଏମିତି କାମ କରି ଚାଲିବି । ଏହା ପୂର୍ବରୁ ସେ ବିଜେପିରୁ ଇସ୍ତଫା ଦେଇ କହିଥିଲେ । ଉଲ୍ଲେଖନୀୟ ବିଜେପି ଲୋକସଭା ନିର୍ବାଚନ ପାଇଁ ୧୯୫ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଏଥିରେ ରାହୁଲ କସୱାଁଙ୍କୁ ଚୁରୁୁ ଲୋକସଭାରୁ ଟିକେଟ୍ ଦିଆଯାଇ ନାହିଁ । ଏହି ଆସନରୁ ଗତ ନିର୍ବାଚନ ଜିତିଥିଲେ ହେଁ ଏଥର ଟିକେଟ୍ କଟିବାରୁ ସେ ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ । ଆଉ ଆଜି ସେ ବିଜେପି ଛାଡି କଂଗ୍ରେସରେ ସାମିଲ୍ ହୋଇଛନ୍ତି । କଂଗ୍ରେସ ଟିକେଟରେ ଚୁରୁରୁ ନିର୍ବାଚନ ଲଢିବା ପାଇଁ ଲକ୍ଷ୍ୟ ରଖିଛନ୍ତି ରାହୁଲ କସୱାଁ ।
ସୂଚନାଯୋଗ୍ୟ, ନିକଟ ଦିନରେ କଂଗ୍ରେସ ନିଜର ୩୯ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ତେବେ ଟିକେଟ୍ ଦେବାରେ ବିଜେପି ଆଗରେ ରହିଛି । ବିଜେପି ନିଜର ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଖୁବ୍ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବାକୁ ଦଳ ପ୍ରସ୍ତୁତି ଚଳାଇଛି । ଏହି କ୍ରମରେ ନୂଆଦିଲ୍ଲୀରେ ଆଜି ଦଳର ସିଇସି ବୈଠକ ହେବାକୁ ଯାଉଛି ।