ଏବି ଡିଭିଲିୟର୍ସ ଓ ବ୍ରେଟ ଲିଙ୍କ ଭବିଷ୍ୟତବାଣୀ, ଏଥର ଏହି ଟିମ୍ ଜିିତିବ ଆଇପିଏଲ୍ ୨୦୨୪ର ଟ୍ରଫି


ନୂଆଦିଲ୍ଲୀ: ଆଉ କେଇ ଘଂଟା ପରେ ଆରମ୍ଭ ହୋଇଯିବା ବିଶ୍ୱର ସବୁଠୁ ବଡ ଟି-୨୦ ଲିଗ୍ ଆଇପିଏଲ୍ ୨୦୨୪ । ଏଥର ଆଇପିଏଲକୁ ନେଇ ଭବିଷ୍ୟତବାଣୀ ଜାରି ରହିଛି । କେଉଁ ଖେଳାଳି ଏଥର ସିଜିନରେ ନିଜର ଛାପ ଛାଡି ପାରିବ ଏହାର ପୂର୍ବାନୁମାନ କିଏ କରୁଥିବା ବେଳେ ଆଉ କେହି କେହି ଏହି ଟି-୨୦ ଲିଗ୍ ଜରିଆରେ କେଉଁ ଖେଳାଳି ଟି-୨୦ ବିଶ୍ୱକପ୍ ପାଇଁ ନିଜ ଦଳରେ ସ୍ଥାନ ପାଇ ପାରିବେ । ଆଉ କେହି ଏଥର ଫାଇନାଲରେ କେଉଁ ଦୁଇ ଦଳ ପହଂଚିବ ଏବେଂ କିଏ ଆଇପିଏଲ୍ ଟ୍ରଫି ଜିତିବ ତାର ଭବିଷ୍ୟତବାଣୀ କରୁଛନ୍ତି । ଏହିକ୍ରମରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆର ଦୁଇ ବରିଷ୍ଠ ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ଓ ବ୍ରେଟ ଲି ଆଇପିଏଲ୍ ୨୦୨୪ର ବିଜେତା ଦଳକୁ ନେଇ ବଡ ଭବିଷ୍ୟତବାଣୀ କରିଛନ୍ତି । ଆଶ୍ଚର୍ଯ୍ୟ କଥା ଏହି ଦୁଇ ଖେଳାଳି ଗୋଟିଏ ଟିମ ଉପରେ ହିଁ ବାଜି ଲଗାଇଛନ୍ତି ।

ଏବି ଡି ଭିଲିୟର୍ସଙ୍କ ମତରେ ଆରସିବିର ମହିଳା ଦଳ ଡବ୍ଲ୍ୟୁପିଏଲ ୨୦୨୪ର ଟ୍ରଫି ଜିତି ପରମ୍ପରା ଭାଙ୍ଗିଛି । ଆଗାମୀ ସିଜିନରେ ଆଉ ଏକ ବିଜୟ ଆରସିବି ପାଇଁ ଟ୍ରଫି ଜିତିବାର ଦ୍ୱାର ଖୋଲିପାରେ । ସିଏନଏନ ନ୍ୟୁଜ-୧୮ ସହ ଆଲୋଚନା ବେଳେ ଡିଭିଲିୟର୍ସ କହିଛନ୍ତି ଏଥର ଆରସିବି ଟ୍ରଫି ଜିତିପାରେ । କିନ୍ତୁ ଆପଣଙ୍କୁ ଧୈର୍ଯ୍ୟ ଧରିବା ଉଚିତ୍ । କ୍ରିକେଟକୁ ନେଇ ପୂର୍ବାନୁମାନ କରିବା ମୁସ୍କିଲ ।

ବ୍ରେଟ ଲି ମଧ୍ୟ ଏବି ଡିଭିଲିୟର୍ସଙ୍କ କଥାରେ ସହମତି ପ୍ରକାଶ କରି କହିଛନ୍ତି, ଆରସିବି ପାଇଁ ଏଥର ଆଇପିଏଲ୍ ଟ୍ରଫି ଜିତିବାର ବହୁତ ଭଲ ସୁଯୋଗ ରହିଛି। ମହିଳା ଟ୍ରଫି ଜିତି ପରମ୍ପରା ଭାଙ୍ଗିଛନ୍ତି । ଏବେ ପୁରୁଷ ଦଳର ପାଳି । ବ୍ରେଟ ଲି କହିଛନ୍ତି, ମୁଁ ୧୦ ଫ୍ରାଂଚାଇଜଙ୍କ ଦଳର ତାଲିକା ଦେଖୁଥିଲି । ମୁଁ ଏଥିପାଇଁ କହୁ ନାହିଁ ଯେ, ଏବି ମୋ ପାଖରେ ବସିଛନ୍ତି, ବରଂ ମୋତେ ଲାଗୁଛି ଆରସିବି ପାଖରେ ଟ୍ରଫି ଜିତିବାର ଏଥର ଭଲ ସୁଯୋଗ ରହିଛି ।

ସୂଚନାଯୋଗ୍ୟ, ଆସନ୍ତାକାଲିଠୁ ଆଇପିଏଲ୍ ୨୦୨୪ ଆରମ୍ଭ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍‌ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ । ଏଥିପାଇଁ ଦୁଇ ଦଳ ପ୍ରସ୍ତୁତିରେ ଜୁଟି ଯାଇଛନ୍ତି ।