Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାରମ୍ବାର ସ୍ଥାନୀୟ ପ୍ରାର୍ଥୀରୁ ବଞ୍ଚିତ ରେଢାଖୋଲ, ଏଥର ହେବ କାହାର ?

ସମ୍ବଲପୁର:ରେଢାଖୋଲ ବିଧାନସଭା ଆସନ ପରି ଏକ ସ୍ୱର୍ଶକାତର ନିର୍ବାଚନ ମଣ୍ଡଳୀ ପ୍ରତି ବର୍ଷ ବର୍ଷ ଧରି ବିଭିନ୍ନ ରାଜନୈତିକ ଦଳ ସ୍ଥାନୀୟ ପ୍ରାର୍ଥି ଉପରେ କୌଣସି ଗୁରୁତ୍ୱ ନଦେଇ ବାରମ୍ବାର ବାହାର ପ୍ରାର୍ଥୀ ଉପରେ କରୁଥିବା ବିଶ୍ୱାସକୁ ଏଥର ସହଜରେ ହଜମ କରିପାରିବେନି ଭୋଟର।
ଭୌଗୋଳିକ ଓ ଲୋକଙ୍କ ସାମାଜିକ,ମୌଳିକ ସୁବିଧା ଉପରେ ଧାରଣା ନଥିବା ଜନପ୍ରତିନିଧି ମାନଙ୍କୁ ଦଳ ଲଦି ଦେଉଥିବାରୁ ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଦିନକୁ ଦିନ ସମସ୍ୟା ବଢ଼ୁଥିବା ନେଇ ଅଞ୍ଚଳବାସୀଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ତୃଣମୂଳ ନେତା ସହିତ କର୍ମି ଓ ବୁଦ୍ଧିଜୀବୀ ମହଳରେ ଏହି ବିଷୟକୁ ନେଇ ବର୍ତ୍ତମାନ ଏକ ବଡ ପ୍ରସଙ୍ଗ ଛିଡା ହୋଇଛି।ସୁବିଧାବାଦୀ ଓ ଥଇଥାନ୍ ରାଜନିତୀରୁ ଉର୍ଦ୍ଧ୍ବରେ ରହି ରାଜନୈତିକ ଦଳ ଗୁଡିକ ପ୍ରାର୍ଥୀ ଦେବାରେ ଭୁଲ୍ କଲେ ଏଥର ରେଢାଖୋଲ ନିଜ ସ୍ୱାଭିମାନର ନିଷ୍ପତ୍ତି ନେଇ କୌଣସି ମୁହୂର୍ତ୍ତରେବି ସ୍ୱାଧିନ ପ୍ରାର୍ଥି ଛିଡା କରାଇ ଏକ ନୂଆଁ ପରମ୍ପରା ତିଆରି କରି ସ୍ଥାନୀୟ ନେତୃତ୍ୱର ମଳଦୂଆ ପକାଇବାକୁ ପଛେଇବେ ନାହିଁ ବୋଲି ବର୍ତ୍ତମାନକୁ ଆଲୋଚନା ସରଗରମ୍ ହୋଇଛି।
ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ଆଖି ଦୃଶିଆ ବିକାଶ ସ୍ୱପ୍ନ ହୋଇ ଯାଉଥିବାରୁ ରେଢାଖୋଲ ନିର୍ବାଚନ ମଣ୍ଡଳୀର ସଚେତନ ନାଗରୀକ ଏକ ସ୍ୱରରେ ସ୍ଥନୀୟ ପ୍ରାର୍ଥୀକୁ ଗୁରୁତ୍ୱ ଦେଉଛନ୍ତି। ୨୦୧୯ ନିର୍ବାଚନ ସମୟରେ ମଧ୍ୟ ଏହି ନିର୍ବାଚନ ମଣ୍ଡଳୀର ବହୁ ସଚେତନ ରାଜନୈତିକ ରୁଚି ରଖୁଥିବା ସଚେତନ ବ୍ୟକ୍ତି ବିଶେଷ ବଡ ଧରଣର ସଚେତନା ସଭା କରି ସ୍ଥାନୀୟ ନେତୃତ୍ୱର ଗୁରୁତ୍ୱ ଉପରେ ଯୋର ଦେଇଥିଲେ। ଏପରି ସେହି ସମୟରେ ଓଡିଶାର ୨ ଜଣ ଅଗ୍ରଧାଡିର ସାମ୍ବାଦିକ ରବି ଦାଶ ଓ ରାଜାରାମ ଶତପଥୀ ମଧ୍ୟ ଲୋକଙ୍କ ସ୍ୱରରେ ଏକମତ ହୋଇ ସ୍ଥାନୀୟ ପ୍ରାର୍ଥୀହିଁ ବିକାଶର ଭାଗିଦାରୀ ହୋଇଥାନ୍ତି ବୋଲି କହିଥିଲେ । ବର୍ତ୍ତମାନ ଏହି ପ୍ରସଙ୍ଗ ଭିନ୍ନ ମୋଡ ନେଉଥିବାରୁ ବିଭିନ୍ନ ଦଳର ଆମଦାନୀ ପ୍ରାର୍ଥୀ ବୋଝକୁ ଅଞ୍ଚଳବାସୀଯେ ସହଜରେ ଗ୍ରହଣ କରିବେ ଏହା ଚିନ୍ତା କରାଯାଉନି। ତେଣୁ ବିଭିନ୍ନ ଦଳ ଗୁଡିକ ସ୍ଥାନୀୟ ପ୍ରାର୍ଥୀ ଉପରେ ବିଚାର ନକଲେ ତାହା ଦଳ ପାଇଁଯେ ନିଶ୍ଚୟ ମହଙ୍ଗା ପଡିବ ଏହା ଆଜିଠୁହିଁ ଆକଳନ କରାଯାଉଛି।
ଦେଖିବାକୁ ଗଲେ ରେଢାଖୋଲକୁ ମହାନଦୀରୁ ପାନୀୟ ଜଳ ଯୋଗାଣ,ରେଢାଖୋଲ ନିର୍ବାଚନ ମଣ୍ଡଳୀର ରେଢାଖୋଲ ସମେତ ନାକଟିଦେଉଲ,ପଡିଆବାହାଲ,ମାନେଶ୍ୱର ଭଳି ବୃହତ ବଜାର ଗୁଡିକରେ ବସଷ୍ଟାଣ୍ଡ ସ୍ୱପ୍ନ ହୋଇ ପଡିରହିଛି। ଏଯାଏ ଏହି ନିର୍ବାଚନ ମଣ୍ଡଳୀରେ ଗୋଟିଏବି ଷ୍ଟାଡିୟମ ହୋଇପାରିଲା ନାହିଁ। ଦେଖିବାକୁ ଗଲେ ଏହି ନିର୍ବାଚନ ମଣ୍ଡଳୀର ନାକଟିଦେଉଲ, ବାଟଗାଁ,ଚାରମାଲ,ଯୁଯୋମୁରା,ମେଘପାଳ କବରାପାଲି,ଡଙ୍ଗରପଡା,ଝାଙ୍କରପାଲି, ଧମା,ମାନେଶ୍ୱର,ଜୟନ୍ତପୁର,କୁକୁଡାପାଲି,କିସିଣ୍ଡା,ବାହାମ,ପଡିଆବାହାଲ ପରି ପ୍ରାୟ ୨୦ଟି ସ୍ଥାନରେ ଷ୍ଟାଡିୟମ୍ ନିର୍ମାଣର ଆବଶ୍ୟକତା ରହିଛି।ଦୀର୍ଘ ବର୍ଷ ଧରି ଯୁଯୋମୁରାର ମୁକ୍ତାକାଶ ଜେଲ, ନିଲଡୁଙ୍ଗରୀର ବୃହତ ମାର୍କେଟ ଟର୍ମିନାଲ ପରି ବୃହତ ହିତକାଂକ୍ଷୀ ଯୋଜନା ଗୁଡିକ ନେତୃତ୍ୱ ଅଭାବରେ ଆଗେଇ ପାରିଲା ନାହିଁ। ଚିକ୍କଣ ଚାକଚକ୍ୟ ସ୍କୁଲ ହସପିଟାଲ ହୋଇଥିଲେବି ଶିକ୍ଷକ ଓ ଡାକ୍ତର ନିଯୁକ୍ତି ଉପରେ ସରକାର ଆଖିମୁଜିଦେଲେ। ଏବେବି ନଲମେ ଜଳ ଓ ପ୍ରତି ଘରେ ପାଇଖାନା ଭଳି ବୃହତ୍ ଯୋଜନା ଦିଗହରା ନେତୃତ୍ୱ ପାଇଁ ଏହା ପ୍ରହସନରେ ପରିଣତ ହେଲା।ପାଇକାନା ନିର୍ମାଣ ସମୟରେ ବିଧାୟକ କିମ୍ବା ଦଳୀୟ ନେତା ଏଦିଗ ପ୍ରତି ସାମାନ୍ୟତମ ଧ୍ୟାନ ଦେଇ ନଥିବାରୁ ସୌଚ ପାଇଁ ଯାଇ ବଣୁଆ ହାତୀ ଦ୍ୱାରା,ଅବା ଅନ୍ୟ କୌଣସି କାରଣ ଯୋଗୁଁ ମୃତ୍ୟୁ ଘଟଣାକୁ ଆମକୁ ଆଖି ମୁଜି ସହିବାକୁ ପଡୁଛି।ଏହି ନିର୍ବାଚନ ମଣ୍ଡଳୀର ଅନେକ ଗାଁକୁ ସିଧାସଲଖ ରାସ୍ତା,ପୋଲ,ଗମନାଗମନ ସୁବିଧା ସ୍ୱପ୍ନ ହୋଇ ରହିଥିବା ବେଳେ ନେତୃତ୍ୱ ନେଇଥିବା ନେତା ଏଯାଏ ସେ ଦିଗରେ ଦୃଷ୍ଟି ଦେଇ ସରକାରୀ ଅର୍ଥ ମଞ୍ଜୁର କରାଇନପାରିବା ଅପାରଗ ନେତୃତ୍ୱର ପରିଚୟ ସାବ୍ୟସ୍ତ କରିଛି।ଆମ ଗାଁ ଆମ ବିକାଶ,ଆମ ଓଡିଶା ନବୀନ ଓଡିଶା ନାମରେ ଯେତେ ସବୁ ପରିମାଣରେ ଗାଁ ଗୁଡିକୁ ଅର୍ଥ ଦିଆଗଲା ସେ ସବୁ କାମରେ କୋଣସି ଅଗ୍ରଗତି ହେବା ଭଳି ବିକାଶ ଆଖି ଦୃଶିଆ ହୋଇପାରିନି। ବରଂ ବିକାଶ ନାମରେ ପଞ୍ଚାୟତ ଜନ ପ୍ରତିନିଧି ମାନଙ୍କୁ ଠିକାଦାର ସଜାଇ ମିଳିଭଗତେର ଅସଲ କାର୍ଯ୍ୟ ହୋଇଥିବା ନିର୍ବାଚନ ମଣ୍ଡଳୀର ବିକାଶ ଅର୍ଥର ପ୍ରକଳ୍ପ ଗୁଡିକ ଦେଖିଲେ ସ୍ପଷ୍ଟ ହେବ। ଏପରିକି ବିନା ଟେଣ୍ଡରରେ ଲକ୍ଷାଧିକ ବ୍ୟୟରେ ହୋଇଥିବା ଅନେକ କୋଠାଘର ଆଜି ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଥିବା ବେଳେ ତାର ବ୍ୟବହାର ନେଇ ନେତୃତ୍ୱ ଦିଗହରା ହୋଇଛି।ବାହ୍ୟ ପ୍ରାର୍ଥୀ ମାନଙ୍କ ପାଇଁ ଏଭଳି ଅବସ୍ଥା ଉପୁଜୁ ଥିବାରୁ ଏଭଳି ସମସ୍ୟା ପୁନଃର୍ବାର ଆଉ ଥରେ ହେଉ ଏହା ସ୍ଥାନୀୟ ସଚେତନ ନାଗରୀକ ଚାହୁଁ ନାହାଁନ୍ତି।ମାନେଶ୍ୱର,ଯୁଯୋମୁରା, ନାକଟିଦେଉଲ କିମ୍ବା ରେଢାଖୋଲ ବ୍ଲକରୁ ଯଦି ଦଳ ଗୁଡିକ ପ୍ରାର୍ଥୀ ନକରି ଥଇଥାନ ଭଳି ଆମଦାନୀ ନେତା ଉପରେ ନିର୍ଭର କରନ୍ତି ତେବେ ତାହା ନିଜ ଦଳ ପାଇଁହି ବୁମେରାଂ ହେବ ଓ ସେଥୀପାଇଁ ଏକ ବୃହତ ଗୋଷ୍ଠୀର ମେଳି ହେଉଥିବା କୁହାଯାଉଛି ।
ଯାହା ଶୁଣାଯାଉଛି ମୁଖ୍ୟ ଦଳ ଗୁଡିକ ନିଜ ନିର୍ବାଚନ ମଣ୍ଡଳୀର କୌଣସି ନେତାଙ୍କୁ ଭରସା କରିନପାରି ବାହାର ନିର୍ବାଚନ ମଣ୍ଡଳୀରୁ ଆଣି ଠିଆ କରିବାକୁ ଯୋଜନା କରୁଥିବା କୁହାଯାଉଛି। ସେପଟେ ଏହି ନିର୍ବାଚନ ମଣ୍ଡଳୀରେ ସୁସଙ୍ଗଠକ,ନେତା,ଅଭିକର୍ତ୍ତା,ସାମାଜିକ କର୍ମୀ,ନେତୃତ୍ୱ ନେବା ଭଳି ଉଚ୍ଚ ଶିକ୍ଷିତ ଯୁବକ ଅବା ବୁଦ୍ଧିଜୀବୀଙ୍କ ଅଭାବ ନାହିଁ । ଅଭାବ ରହିଛି ବିଭିନ୍ନ ଦଳ ମଧ୍ୟରେ ଅନ୍ୟ ପ୍ରତି ଅବିଶ୍ୱାସ। ତେଣୁ ସ୍ଥାନୀୟ ନେତୃତ୍ୱ ଉପରେ ବିଶ୍ୱାସ ନଥିବା ଅସଲ ଦଳ ଗୁଡିକୁ ମଧ୍ୟ ସ୍ଥାନୀୟ ନେତୃ୍ତ୍ୱ ଅସଲ ପାନେ ଦେବାକୁ ଟାକି ବସିଛନ୍ତି। ଏଥର ବିଜେଡି, ବିଜେପି,କଂଗ୍ରେସ ବ୍ୟତିତ ଆମ୍ ଆଦମୀ, ବହୁଜନ ସମାଜ ପାର୍ଟି ଭଳି ଅନ୍ୟ ଦଳ ଗୁଡିକ ମଧ୍ୟ ପ୍ରାର୍ଥୀ ଦେବାକୁ କସରତ ଆରମ୍ଭ କରୁଥିବା ବେଳେ ସ୍ୱାଧିନ ଭାବେ ଲଢିବାକୁ ମଧ୍ୟ ଅନେକ ନିଜକୁ ପ୍ରସ୍ତୁତ କରି ଲୋକ ସଂପର୍କ ଜୁଟାଇବାରେ ଲାଗିଥିବା ମଧ୍ୟ ସୂଚନା ମିଳୁଛି। ତେବେ ଆଗପରି ଶାସକ ଦଳକୁ ଏହି ନିର୍ବାଚନ ମଣ୍ଡଳୀରୁ ଜିତିବା ଏତେ ସହଜ ନୁହେଁ।ଯେଉଁ ପ୍ରାର୍ଥୀ ମାନଙ୍କ ନାମ ଉଠୁଛି ସେମାନେ ବହୁଥର ନେତୃତ୍ୱ ନେବା ପରେବି କଣ ବିକାଶ କରିଛନ୍ତି ରେଢାଖୋଲର ଏଭଳି ପ୍ରଶ୍ନରେ ଭୋଟର ପ୍ରାର୍ଥୀଙ୍କୁ ଘେରିବା ଆଶଙ୍କା ରହିଥିବା ବେଳେ ଭୋଟରଙ୍କ ପ୍ରଶ୍ନ ପ୍ରଭାବରେ ଶାସକ ବିଜେଡି ତା ଭୋଟ ହାର କମାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି।
ତେଣୁ ରେଢାଖୋଲର ଆଗାମୀ ଭବିଷ୍ୟତକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଅଣଦେଖା କରିବାବି ଦଳ ଗୁଡିକ ପ୍ରତି ମହଙ୍ଗା ନପଡିବ ତାହା କେହି କହିପାରିବେନି।ଭୋଟର ସଚେତନତା, ସ୍ୱାଭିମାନ ଓ ସ୍ଥାନୀୟ ନେତୃତ୍ୱ ସ୍ୱର ବର୍ତ୍ତମାନକୁ ଅଧିକ ପ୍ରସାରମୂଖି ହୋଇଥିବାରୁ ଭାବି ଚିନ୍ତି ପ୍ରାର୍ଥୀ ନଦେଲେ କେବଳ ଶାସକ ନୁହେଁ,ବରଂ ସବୁ ଦଳ ପାଇଁ ବିପଦ ରହିଥିବା ଆଶଙ୍କା ରହିଛି।ତେଣୁ ରେଢାଖୋଲ ଏଥର କାହାର ହେବ ଦଳର ପ୍ରାର୍ଥୀ ଉପରେ ନିର୍ଭର କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ