ଝରିଆଗୁଡା ଗ୍ରାମ ରେ ସୁନ୍ଦର ଭିମା ଦେବତା ଙ୍କ ବାଲିଯାତ୍ରା,ପୋଢ଼ବଳି ସହ ଉଦଯାପିତ।


କୋକସରା:୨୧/୦୧
ଆଦିବାସୀ ପରମ୍ପରା ରେ ମାଟି ମା ସ୍ଥାନ ସର୍ବାଗ୍ରେ। ଯେ କୌଣସି ଶୁଭ କାର୍ଯ୍ୟ ପ୍ରାରମ୍ଭ ରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ର ଗ୍ରାମବାସୀ ମାନେ ମାଟି ମା କୁ ସୁମରଣା କରି ସମସ୍ତ କାର୍ଯ୍ୟ ଆରମ୍ଭ କରନ୍ତି। କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ରେ ପାଳିତ ହୋଇଯାଇଛି ସୁନ୍ଦର ଭିମା ଦେବତା ବାଲିଯାତ୍ରା । ଦିର୍ଘ ୫୩ ବର୍ଷ ଅନ୍ତରାଲ ରେ ଝରିଆଗୁଡା ଗ୍ରାମ ରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଗତ ବର୍ଷ ଅକ୍ଟୋବର ମାସ ବିଜୟା ଦଶମୀ ରୁ ଏହା ଆରମ୍ଭ ହୋଇ ରବିବାର ପୋଢ଼ ବଳି ସହ ଉଦଯାପିତ ହୋଇଯାଇଛି। ଏହା ଏକ କୃଷି ଭିତ୍ତିକ ପର୍ଵ ହୋଇଥିବା ବେଳେ ଗାଁ ରେ ଭଲ ଫସଲ,ଗାଁ ର ସୁଖ ସମୃଦ୍ଧି,ରୋଗଶୋକ ଦୁର ସହ ଗାଁ ର ଦେବାଦେବୀ ଙ୍କ ଶୁଭଦୃଷ୍ଟି ଓ ମଙ୍ଗଳାକାମନା କରି ଏହି ପର୍ଵ ପାଳନ କରାଯାଏ। ବାଲିଯାତ୍ରା ପର୍ବ ବଂଶାନୁଗତିକ ଭାବେ ପାଳନ ହୋଇ ଆସୁଥିବା ବେଲେ ଆଦିବାସୀ ପରମ୍ପରା ଓ ମାନସିକତାରେ ଏକ ପ୍ରମୁଖ ଭୁମିକା ରହିଛି।।ଝରିଆଗୁଡା ଗ୍ରାମ୍ୟ ବାଲିଯାତ୍ରା ପୂଜା କମିଟି ଆୟୋଜନ ରେ ବାଲିଯାତ୍ରା ର ମୁଖ୍ୟ ପୁରୋଧା ଗୁରୁମେ ଙ୍କ ନିର୍ଦେଶ କ୍ରମେ ସୁନ୍ଦର ଭିମା ଦେବତା ଙ୍କ ପାଇଁ ଗ୍ରାମ ର ପୂଜାସ୍ଥଳୀ ରେ ଏକ ଅସ୍ଥାୟୀ ଗୁଡି ସ୍ଥାପନା କରି ଗୁରୁମେ ଦିର୍ଘ ମାସ ଧରି ପୁଝାରି ଡୁମା, ଧନବନ୍ତ ଭିମା,କନ୍ଧେନ ରାଣି,ପିଲା ଭିମା, ପାଟରାଣୀ, ଡୁମେର ରାଣୀ, ମଡିଆ ରାଣୀ,ବେଳମତି,ଫୁଲମତି,
କାନ୍ଦରୀ,ଲାଡ଼ଳୀ,ଜଳକେଳି, ଗୋପବାଲି, ନିଆଳି ମଲ୍ଲି, ଭଣ୍ଡାର ମାଉଳି, ଭାଏସାଲ ମାଝୀ,ମାନ ପୁରେନ,ପର ଦେଶେନ,ବିର ମାଝୀ ମା, ଠାକୁରାଣୀ, ଲଙ୍କେଶ୍ୱରୀ, ଧାରଣୀ, ପାଟ ଧାରଣୀ, ଲଦାଲଦେନ, ବହଲେନ ମାଉଳି, ଠୁଟି ମାଉଳି ଗ୍ରାମ ଦେବାଦେବୀ ଙ୍କୁ ଆବାହନ ପୂର୍ବକ ପୂଜାର୍ଚ୍ଚନା କରିବା ପରେ ଭିମା ଦେବତା ଙ୍କ ଜନ୍ମ ହୋଇଥିଲା ସୁନ୍ଦରା ଭିମା ଯୁବା ବୟସରେ ଉପନୀତ ହେବାପରେ ଗତ ଶନିବାର ଭିମା ଦେବତା ଙ୍କ ବିବାହ କନ୍ଧେନ ଦେବୀ ଙ୍କ ସହ ଅନୁଷ୍ଠିତ ହୋଇଥିଲା। ରବିବାର ଶେଷ ଦିନ ରେ ମାଟି ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏକ ପୋଢ଼ କୁ ଗ୍ରାମ ପୁଜକ ଓରାଚନ ପୁଝାରି ଙ୍କ ଘରୁ ପୂଜାର୍ଚ୍ଚନା କରି,ପୋଢ଼ ଦେହରେ ନୂତନ ଶୁକ୍ଳ ରଙ୍ଗର ବସ୍ତ୍ର ଓ ମନ୍ଦାର ଫୁଲ ମାଲ ଦେଇ ଗାଁ ଗୌନ୍ତିଆ ଯୁଧିଷ୍ଠିର ନାଏକ ତତ୍ୱାବଧାନ ରେ ଶହ ଶହ ସଂଖ୍ୟକ ଗ୍ରାମବାସୀ ମାନେ ବାଜା ବଜାଇ ନାଚି,ନାଚି ବଳି ପଡ଼ିବାକୁ ଥିବା ପୋଢ଼ କୁ ଗ୍ରାମ ରେ ପରିକ୍ରମା ସମୟରେ ଗାଁ ଗୌନ୍ତିଆ, ଗଣ୍ଡା ଘର କୁ ନେଇ ପୂଜାର୍ଚ୍ଚନା କରିବା ପରେ ଗ୍ରାମ ରେ ପରିକ୍ରମା କରାଇ ଗାଁ ନିକଟସ୍ଥ ଏକ ପଡ଼ିଆ କୁ ନେଇ ଗ୍ରାମ୍ୟ ପୁଜକ ଙ୍କ ପୂଜା ପରେ ପୋଢ଼ କୁ ବଳି ଦେଇ ମାଟି ଦେବତା ଙ୍କୁ ଅର୍ପଣ କରିଥିଲେ।ପରେ ମୃତ ପୋଢ଼ ର ଅଂଶବିଶେଷ କୁ ପୂର୍ବରୁ ଖୋଲା ଯାଇଥିବା ଗାତ ରେ ପୋତି ଦିଆ ଯାଇଥିଲା।ଉଦଯାପିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପି ସାଂସଦ କଳାହାଣ୍ଡି ପ୍ରାର୍ଥନି ମାଲବିକା କେଶରୀ ଦେଓ,ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଉପସ୍ଥିତ ଥିଲେ।ପୂଜା କମିଟି ର ସଭାପତି ଜୟ ଲାଲ ନାଏକ, ସମ୍ପାଦକ ରାଜ କିଶୋର ସାହୁ, ଉପ ସଭାପତି କୁରୁକ୍ଷେତ୍ର ପାଣିଗ୍ରାହୀ, ମୁକୁନ୍ଦ ପଟ୍ଟନାୟକ, ଅଚ୍ୟୁତାନନ୍ଦ ମାଝୀ, ଜିତେନ୍ଦ୍ର ନାଏକ,ଅରବିନ୍ଦ ପଟ୍ଟନାୟକ,ସମିତି ସଭ୍ୟ ମୁକ୍ତେଶ୍ଵର ନାଏକ ସମେତ ସ୍ୱାମୀ ବିବେକାନନ୍ଦ ୟଙ୍ଗ କ୍ଲବ ର ସଦସ୍ୟ ଓ ଝରିଆଗୁଡା ଗ୍ରାମବାସୀ ମାନେ ବାଲିଯାତ୍ରା ପରିଚାଳନା ରେ ସହଯୋଗ କରିଥିଲେ।