Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ ପ୍ରଥମ ସପ୍ତାହରେ ଓଡିଶା ଆସିବେ ରାହୁଲ ଓ ସୋନିଆ, ରୋଡ୍ ଶୋ କରି କରିବେ ପ୍ରଚାର

ଭୁବନେଶ୍ୱର: ଟିକେଟ୍ ଘୋଷଣାରେ ପଛରେ ରହି ଯାଇଥିବା କଂଗ୍ରେସ ଖୁବ୍ ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି । ଦଳ ପୁରା ଦମରେ ନିର୍ବାଚନ ଲଢିବାକୁ ଅଂଟା ଭିଡିଛି । ପ୍ରଚାର ମଇଦାନରେ କେନ୍ଦ୍ରୀୟ କଂଗ୍ରେସର ବଡ ନେତାଙ୍କୁ ଦେଖିବାକୁ ମିଳିବ । ସଦ୍ୟତମ ଖବର ଅନୁ୍‌ଯାୟୀ ଓଡିଶା ଆସିବେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ । ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ନିର୍ବାଚନ ମଣ୍ଡଳୀରେ ଦୁଇ ନେତା ପ୍ରଚାର କରିବେ ।

ରାଜ୍ୟ କଂଗ୍ରେସର ସୂଚନା ଅନୁଯାୟୀ, କଂଗ୍ରେସ ପାଇଁ ଷ୍ଟାର ପ୍ରଚାରକ ଭାବେ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ, ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓଡିଶାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ମେ ପ୍ରଥମ ସପ୍ତାହରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ପ୍ରଚାର କରିବେ । ରାହୁଲ, ସୋନିଆ ଓ ପ୍ରିୟଙ୍କା ରୋଡ୍ ଶୋ କରିବେ ବୋଲି ଜଣା ପଡିଛି । କୋରାପୁଟ, ଜୟପୁର, ରାୟଗଡା ଓ ଗୁଣପୁରରେ ପ୍ରଚାର କରିବେ ବୋଲି କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା ।

ସୂଚନାଯୋଗ୍ୟ, କଂଗ୍ରେସ ଏ ପର୍ଯ୍ୟନ୍ତ ୪୯ ବିଧାନସଭା ଓ ୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି । ନେତା ଦଳ ଛାଡୁଥିବାରୁ ଦଳର ପ୍ରାର୍ଥୀ ଘୋଷଣା ବିଳମ୍ବ ହେବାରେ ଲାଗିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦଳ ଆଗେ ଟିକେଟ୍ ଦେବ ବୋଲି କହିଥିଲା । ହେଲେ ରାଜ୍ୟରେ ବିଜେପି ଓ ବିଜେଡିଠୁ ଢେର ପଛରେ ରହିଛି କଗ୍ରେସ । ତେବେ ଯଥା ଶୀଘ୍ର ଅନ୍ୟ ଆସନ ପାଇଁ ଟିକେଟ୍ ଘୋଷଣା ହେବ ବୋଲି କଂଗ୍ରେସ ନେତା ବିଜୟ ପଟ୍ଟନାୟକ କହିଛନ୍ତି ।