ନୂଆଦିଲ୍ଲୀ: ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧର ଆଶଙ୍କା ଲଗାତାର ବଢିବାରେ ଲାଗିଛି । ଇରାନ ପୂର୍ବରୁ ଆକ୍ରମଣର ଚେତାବନୀ ଦେଇ ସାରିଛି । ମଧ୍ୟପୂର୍ବରେ ସଂପ୍ରତି ଉତେଜନା ଚରମରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ନିଜର ଉଡାଣକୁ ନେଇ ଆଲର୍ଟ ଜାରି କରିଛି । ଫଳରେ ଏୟାର ଇଣ୍ଡିଆର ବିମାନ ଆଜି ଇରାନର ଆକାଶ ମାର୍ଗ ଦେଇ ଗତି କରିନି ।
ରିପୋର୍ଟ ଅନୁଯାୟୀ, ୟୁରୋପ ଯାତ୍ରା କରିବାକୁ ଥିବା ଏୟାର ଇଣ୍ଡିଆର ବିମାନ ଇରାନ ଆକାଶ ମାର୍ଗଠୁ ଦୂରେଇ ନିଜର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛି । ଆମେରିକା ଓ ଅନ୍ୟ ଗୁଇନ୍ଦା ତଥ୍ୟ ଅନୁସାରେ ଇରାନ ପକ୍ଷରୁ ରବିବାର ସୁଦ୍ଧା ଇସ୍ରାଏଲକୁ ପାଲଟା ଜବାବ ଦିଆଯାଇପାରେ । ଏହି ଆକ୍ରମଣ ହେଲେ ଯୁଦ୍ଧ ବ୍ୟାପକ ହେବାର ବିପଦ ରହିଛି । ଏହାକୁ ଧ୍ୟାନରେ ରଖି ସବୁ ଦେଶ ସାବଧାନତା ଅବଲମ୍ବନ କରୁଛନ୍ତି ।
ଏହା ପୂର୍ବରୁ ଶୁକ୍ରବାର ଭାରତ ନିଜର ନାଗରିକଙ୍କୁ ଇରାନ ଓ ଇସ୍ରାଏଲ ଯାତ୍ରା ନ କରିବାକୁ କହିଛି । ଏବେ ଭାରତୀୟଙ୍କୁ ନିର୍ମାଣ କ୍ଷେତ୍ରରେ କାମ କରିବା ପାଇଁ ଇସ୍ରାଏଲ ଯିବାକୁ ଅନୁମତି ଦିଆଯିବ ନାହିଁ । ଏହା ପୂର୍ବରୁ ୬୪ ଭାରତୀୟ ଶ୍ରମିକଙ୍କ ଏକ ଟିମ୍ ଚଳିତ ମାସ ଆରମ୍ଭରେ ଇସ୍ରାଏଲ ଯାଇଛନ୍ତି । ଭାରତରୁ ୬ ହଜାରରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ଏପ୍ରିଲ ଏବଂ ମେ ମାସରେ ଇସ୍ରାଏଲ ଯିବାର ଥିଲା ।
ତେବେ ସଂପ୍ରତି ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ବହୁତ ସତର୍କ ଓ ସାବଧାନ ରହିବାକୁ କୁହାଯାଇଛି । ଏହା ପରାମର୍ଶ ଦିଆଯାଇଛି ଯେ, ପରବର୍ତୀ ନୋଟିସ୍ ନ ମିଳିବା ପର୍ଯ୍ୟନ୍ତ ଇରାନ କିମ୍ବା ଇସ୍ରାଏଲ ଯାତ୍ରା କରିବେ ନାହିଁ ।