ଏତେ କମ ସିଟରେ କେବେ ଲଢିନାହିଁ କଂଗ୍ରେସ, ତଥାପି ୨୦୦୪ର ଫର୍ମୁଲାକୁ ନେଇ କାହିଁକି ଆଶାବାଦୀ ଦଳ


ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ରେ କଂଗ୍ରେସ ପାଖାପାଖି ୩୩୦ ସିଟରେ ପ୍ରାର୍ଥୀ ଦେବ । ଦେଶର ନିର୍ବାଚନ ଇତିହାସରେ ଏହା ପ୍ରଥମ ଥର ଘଟିବ, ଯେଉଁଠି କଂଗ୍ରେସ ଏତେ କମ ସିଟରେ ନିର୍ବାଚନ ଲଢିବ । ଏହି ବିଷୟରେ ପ୍ରଶ୍ନ କରାଯିବାରୁ କଂଗ୍ରେସ କହିଛି ଏହା ଆମର ଦୁର୍ବଳତା ନୁହେଁ ବରଂ ରଣନୀତି । କଂଗ୍ରେସ ନେତା ଜୟରାମ ରମେଶ ୨୦ ବର୍ଷ ପୁରୁଣା ୨୦୦୪ ଲୋକସଭା ନିର୍ବାଚନ ବିଷୟରେ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ସେହି ସମୟରେ ବି ମେଂଟ କରି ଲଢିଥିଲୁ । ସେହି ସମୟରେ ବି କୁହାଯାଇଥିଲା ଯେ, କଂଗ୍ରେସ ନିଜ ଇତିହାସରେ ସବୁଠୁ କମ ସିଟରେ ଲଢୁଛି । ସେହି ସମୟରେ ଆମେ ନିଜ ସାଥୀଙ୍କ ପାଇଁ ସିଟ୍ ଛାଡିଥିଲୁ ଏବଂ ଯେବେ ପରିଣାମ ଆସିଲା ଆପଣ ଦେଖିଥିବେ ସରକାର ବଦଳିଗଲା ।

ତେବେ ୨୦୦୪ ତୁଳନାରେ ୨୦୨୪ରେ କଂଗ୍ରେସ ଆହୁରି କମ ସିଟରେ ନିର୍ବାଚନ ଲଢୁଛି । କଂଗ୍ରେସ ୨୦୦୪ରେ ୪୧୭ ସିଟରେ ପ୍ରାର୍ଥୀ ଦେଇଥିବା ବେଳେ ୨୦୦୯ରେ ୪୪୦ ଓ ୨୦୧୪ରେ ୪୬୪ରେ ପ୍ରାର୍ଥୀ ଦେଇଥିଲା । ପୁଣି ୨୦୧୯ରେ ଦଳ ୪୧୨ ସିଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା । କିନ୍ତୁ ଏଥର ଦଳ ମାତ୍ର ୩୩୦ ସିଟରେ ମୁକାବିଲା କରିବାକୁ ଯାଉଛି, ଯାହା ନିଜ ଇତିହାସରେ ସବୁଠୁ କମ । ଜୟରାମ ରମେଶ କହିଛନ୍ତି, ଏମିତି ଏଥିପାଇଁ କରାଯାଉଛି, କାରଣ ଉତର ପ୍ରଦେଶ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ପରି ବଡ ରାଜ୍ୟରେ ସିଟକୁ ନେଇ ବୁଝାମଣା ହୋଇଛି ।

ଜୟରାମ ରମେଶ କହିଛନ୍ତି, ୨୦୨୪ରେ ସ୍ଥିତି ୨୦୦୪ ପରି ରହିଛି । ଆମେ ଜାଣିଶୁଣି ଏତେ କମ ସିଟରେ ନିର୍ବାଚନ ଲଢୁଛୁ । ଆମେ ଚାହୁଁଛୁ ଏକ ପ୍ରଭାବଶାଳୀ ମେଂଟ ପ୍ରସ୍ତୁତ ହେଉ । ଏହି ନିର୍ବାଚନରେ କଂଗ୍ରେସ ଓ ଇଣ୍ଡିଆକୁ ସ୍ପଷ୍ଟ ବହୁମତ ମିଳିବ । ଆମକୁ ନିର୍ବାଚନ ପରେ କୌଣସି ଦଳ କିମ୍ବା ଏନଡିଏରେ ଫ୍ଲପ ହୋଇଥିବା ସାଥୀଙ୍କ ଆବଶ୍ୟକତା ପଡିବ ନାହିଁ । ଆମେ ପୂର୍ବୋତର ପର୍ଯ୍ୟନ୍ତ ବିଜେପି ସହ ମୁକାବିଲା କରିବା ପାଇଁ ଆଂଚଳିକ ଦଳ ସହ ମେଂଟ କରିଛୁ ।

କଂଗ୍ରେସର କହିବା କଥା ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବିର୍ଭାବ ପରେ ତାଙ୍କ ଦଳକୁ ବଡ ଝଟକା ଲାଗିଛି । ୟୁପି, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ପରି ବଡ ରାଜ୍ୟରେ ଦଳର ସ୍ଥିତି ଟିକେ ଦୁର୍ବଳ ହୋଇଛି । ଏମିତି ସ୍ଥିତିରେ ଦଳ ମଜବୁତ ଆଂଚଳିକ ପାର୍ଟିକୁ ଅଧିକ ସିଟ୍ ଦେଉଛି । ଏହି ଦଳଗୁଡିକ ବିଜେପି ତୁଳନାରେ ମଜବୁତ ସ୍ଥିତିରେ ରହିଛନ୍ତି । ଏମିତି ସ୍ଥିତିରେ ଯଦି ଏହି ସବୁ ରାଜ୍ୟଗୁଡିକରେ ବିଜେପିକୁ ଝଟକା ଲାଗେ ତେବେ ପୁଣି କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମେଂଟକୁ ଫାଇଦା ମିଳିବ ।