ପ୍ରଚାର ପାଇଁ ଟଙ୍କା ଦେଉନି କଂଗ୍ରେସ, ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ


ପୁରୀ: ଦୟନୀୟ ସ୍ଥିତି ଦେଇ ଗତି କରୁଥିବା ଓଡ଼ିଶା କଂଗ୍ରେସକୁ ପୁଣି ଏକ ଝଟକା । ଅସନ୍ତୋଷର ନିଆଁରେ ଜଳୁଥିବା କଂଗ୍ରେସରେ ଯେଉଁମାନେ ବି ଟିକେଟ ପାଇଛନ୍ତି ତାଙ୍କୁ ଘରିଛି ଅର୍ଥ ଚିନ୍ତା । ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନଦେବା ଅଭିଯୋଗ ଆଣି ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ମେଲ ଜରିଆରେ ସେ AICCକୁ ଜଣାଇଛନ୍ତି ।

ମେଲରେ ସେ ଉଲ୍ଲେଖ କରିଛନ୍ତି, ନିର୍ବାଚନ ପାଇଁ ପାର୍ଟି ଫଣ୍ଡିଂ କଲା ନାହିଁ । ବିନା ଫଣ୍ଡିଂରେ କ୍ୟାମ୍ପେନିଂ କରିବା ଓ ନିର୍ବାଚନ ଲଢ଼ିବା ସହଜ ନୁହେଁ । ବିନା ପାର୍ଟି ଫଣ୍ଡିଂରେ ପୁରୀ ଭଳି ସଂସଦୀୟ କ୍ଷେତ୍ରରେ ଲଢ଼ିବା କଷ୍ଟକର ।

ଦଳ ପକ୍ଷରୁ ମୋତେ ନିଜସ୍ୱ ଟଙ୍କାରେ ନିର୍ବାଚନ ଲଢ଼ିବା ପାଇଁ କୁହାଯାଇଥିଲା । ମୁଁ ନିଜର ସମର୍ଥ ଅନୁସାରେ କ୍ୟାମ୍ପେନିଂ କରିବା ସହ ଫଣ୍ଡ ଯୋଗାଡ କରିବା ପାଇଁ ଚେଷ୍ଟା କରିଥିଲି । ବର୍ତ୍ତମାନ ସମୟରେ ତାହା ସମ୍ଭବପର ହେଲା ନାହିଁ । ଏଥିପାଇଁ ମୁଁ ଟିକେଟ ଫେରାଇ ଦେଇଛି ।

ଆଗକୁ ସେ କହିଛନ୍ତି, ପୁରୀ ଲୋକସଭା ଅଧୀନରେ ଥିବା ୭ଟି ଯାକ ବିଧାନସଭା ଆସନରେ କଂଗ୍ରେସ ଦୁର୍ବଳ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଛି । ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ମୁଁ ଅନୁରୋଧ କରିଥିଲି । କିନ୍ତୁ ତାହାକୁ କାର୍ଯ୍ୟକାରୀ କରାଗଲାନାହିଁ ।

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କ ଉପରେ ଭରସା କରିଛି । ସେହିପରି କଂଗ୍ରେସ ସୁଚରିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ସେ ଟିକେଟ ଫେରାଇ ଦେଇଛନ୍ତି ।

ସୁଚରିତା ମହାନ୍ତି ୨୦୧୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ । ୨୦୨୪ ରେ ଦଳ ତାଙ୍କ ଉପରେ ପୁଣି ଭରସା କରିଥିଲା । ୨୫ ତାରିଖରେ ତୃତୀୟ ପର୍ଯ୍ୟାୟରେ ପୁରୀରେ ହେବ ନିର୍ବାଚନ । ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ମେ ୬ ତାରିଖ ରହିଛି । ଏହି ସମୟରେ ପୁରୀ ସାଂସଦ ପ୍ରାର୍ଥୀ ଟିକେଟ୍ ଫେରାଇ ଦେବା ନିହାତି ଭାବେ କଂଗ୍ରେସ ପାଇଁ ଶକ୍ତ ଧକ୍କା ।