Kangana Ranaut FIR: ଗାନ୍ଧି ପରିବାରକୁ ନେଇ ସୋସିଆଲ ମିଡିଆ ପୋଷ୍ଟ ମାମଲାରେ ବିଜେପି ସାଂସଦ କଙ୍ଗନାଙ୍କ ବିରୋଧରେ ୩ଟି ଧାରାରେ ଏତଲା
ନୂଆଦିଲ୍ଲୀ: ଗାନ୍ଧି ପରିବାରକୁ ନେଇ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିବା ଅଭିଯୋଗରେ ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶର ଶିମଲାରେ ଏତଲା ରୁଜୁ ହୋଇଛି। ଶିମଲାର ବାସିନ୍ଦା ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି ମାମଲା ରୁଜୁ କରିଛି। ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଯାଞ୍ଚ ହୋଇଥିବା ସୋସିଆଲ ମିଡିଆ ଆକାଉଣ୍ଟରୁ ଏହି ପୋଷ୍ଟ କରିଥିବା ଅଭିଯୋଗ ହୋଇଛି। ଏଥିରେ ସୋନିଆ ଗାନ୍ଧିଙ୍କୁ ‘ରହସ୍ୟମୟ ବିଦେଶୀ ନାଗରିକ’ ବୋଲି ଉଲ୍ଲେଖ କରାଯାଇଥିବା ସହ ଇନ୍ଦିରା ଗାନ୍ଧି, ସଞ୍ଜୟ ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ମୃତ୍ୟୁକୁ ନେଇ ମଧ୍ୟ ଆପତ୍ତିଜନକ ଇଙ୍ଗିତ କରାଯାଇଥିବା ଅଭିଯୋଗକାରୀ କହିଛନ୍ତି।
ଅତୁଲ ଶର୍ମାଙ୍କ ଅଭିଯୋଗ ଅନୁସାରେ, ଏହି ପୋଷ୍ଟଗୁଡ଼ିକ କେବଳ ରାଜନୈତିକ ସମାଲୋଚନା ନୁହେଁ, ବରଂ ଉତ୍ତେଜନା ସୃଷ୍ଟି କରିବା ଭଳି ମନ୍ତବ୍ୟ ରହିଛି। ଏହାଦ୍ୱାରା ସାଧାରଣ ଶାନ୍ତି ଭଙ୍ଗ ହେବା ସହ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ିବା ଆଶଙ୍କା ରହିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ମେନକା ଗାନ୍ଧିଙ୍କୁ ପରିବାରର ବାସଭବନରୁ ବାହାର କରିଦିଆଯାଇଥିବା ନେଇ କଙ୍ଗନାଙ୍କ ପୋଷ୍ଟରେ ଦାବି କରାଯାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି। ଏହି ପୋଷ୍ଟଗୁଡ଼ିକୁ ନେଇ ଅତୁଲ ଶର୍ମା ପୁଲିସ ମହାନିର୍ଦ୍ଦେଶକଙ୍କୁ ଇମେଲ୍ ଯୋଗେ ଅଭିଯୋଗ କରି ତଦନ୍ତ ଦାବି କରିଥିଲେ।
ଶିମଲା ଏସ୍ପି ଗୌରବ ସିଂହ ଶୁକ୍ରବାର ଏତଲା ରୁଜୁ ହୋଇଥିବା ସ୍ପଷ୍ଟ କରିଛନ୍ତି। ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬, ୩୫୩ ଓ ୩୫୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ଏହି ଧାରାଗୁଡ଼ିକ ଯଥାକ୍ରମେ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ବଢ଼ାଇବା, ସାଧାରଣ ଶାନ୍ତି ଭଙ୍ଗ କରିବା ଭଳି ବୟାନ ଏବଂ ମାନହାନି ସମ୍ପର୍କିତ ଅଭିଯୋଗ ସହ ଜଡ଼ିତ। ଏହି ମାମଲାରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ଏସ୍ପି କହିଛନ୍ତି।

