ଆମେଠିରୁ ମିଳିଲାନି ଟିକେଟ୍‌, ଫେସବୁକରେ ଭାବୁକ ପୋଷ୍ଟ ଲେଖିଲେ ରବର୍ଟ ଭଦ୍ରା


ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଚର୍ଚ୍ଚା ଚାଲିଥିଲା ଯେ, ଏଥର ରବର୍ଟ ଭଦ୍ରାଙ୍କୁ କଂଗ୍ରେସ ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେବ । ଭଦ୍ରା ମଧ୍ୟ ଆଶା ରଖିଥିଲେ ଯେ, ଦଳ ତାଙ୍କୁ ଏଥର ଲଢିବାକୁ ସୁଯୋଗ ଦେବ । ତେଣୁ ତାଙ୍କୁ ଆମେଠିରୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ ବହୁ ବିଳମ୍ବ ପରେ କଂଗ୍ରେସ ରାୟବରେଲି ସିଟରୁ ରାହୁଲ ଗାନ୍ଧୀ ଓ ଆମେଠିରୁ ଗାନ୍ଧୀ ପରିବାରର ଘନିଷ୍ଠ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି । ଏହା ମଧ୍ୟରେ ରବର୍ଟ ଭଦ୍ରାଙ୍କ ଫେସବୁକରେ ଭାବୁକ ପୋଷ୍ଟ ସାମ୍ନାକୁ ଆସିଛି ।

ଉକ୍ତ ପୋଷ୍ଟରେ ରବର୍ଟ ଭଦ୍ରା ଲେଖିଛନ୍ତି, ରାଜନୀତିରେ କୌଣସି ବି ଶକ୍ତି, ପଦ ଆମ ପରିବାର ମଧ୍ୟରେ ଆସି ପାରିବ ନାହିଁ । ଆମେ ସମସ୍ତେ ଆମର ମହାନ ରାଷ୍ଟ୍ରର ଜନତା ଓ ଜନତାଙ୍କ ଉନ୍ନତି ପାଇଁ ସର୍ବଦା କାମ କରିବୁ, କରୁଛୁ ଏବଂ କରି ଚାଲିବୁ । ଆପଣଙ୍କ ସମର୍ଥନ ଓ ଶୁଭକାମନା ପାଇଁ ସମସ୍ତଙ୍କୁ ଧନ୍ୟବାଦ । ମୁଁ ନିଜର ଜନସେବା ମାଧ୍ୟମରେ ଯଥାସମ୍ଭବ ଲୋକଙ୍କ ସାହାଯ୍ୟ କରି ଚାଲିବି ।

ସୂଚନାଯୋଗ୍ୟ, ରବର୍ଟ ଭଦ୍ରା ଅନେକ ଥର ଆମେଠିରୁ ନିର୍ବାଚନ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଆମେଠିରୁ ଦଳ ତରଫରୁ ପ୍ରାର୍ଥୀ ଘୋଷଣା ପରେ ଏହା ରବର୍ଟ ଭଦ୍ରାଙ୍କ ପ୍ରଥମ ପ୍ରତିକ୍ରିୟା । ରବର୍ଟ ଭଦ୍ରା ସକ୍ରିୟ ରାଜନୀତିରେ ପ୍ରବେଶ କରିବା ପାଇଁ ନିଜର ଇଚ୍ଛା ଜାହିର କରି ସାରିଥିଲେ । ତେଣୁ କଳ୍ପନା ଜଳ୍ପନା ଚାଲିଥିଲା ଯେ, ତାଙ୍କୁ ଆମେଠିରୁ ଟିକେଟ୍ ମିଳିପାରେ । କିନ୍ତୁ କଂଗ୍ରେସର ନିର୍ଣ୍ଣୟ ସଭିଙ୍କୁ ଚକିତ କରିଛି । ଭଦ୍ରା କହିଥିଲେ, ସେ ଜନତାଙ୍କ ଗହଣରେ ରୁହନ୍ତି, ଏଥିପାଇଁ ରାଜନୀତିରେ ପ୍ରବେଶ କରି ପାରିବେ ।