ବଲାଙ୍ଗୀର: ଫୁଲବାଣୀ ସମାବେଶ ପରେ ବଲାଙ୍ଗୀର ସଭାରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ନବୀନ ବାବୁ ବଲାଙ୍ଗୀରର କଣ୍ଟାବାଞ୍ଜିରେ ନିର୍ବାଚନ ଲଢୁଛନ୍ତି । ଆପଣାମାନେ ତାଙ୍କୁ ଆପଣଙ୍କ ଅଞ୍ଚଳର ୧୦ ଗାଁ ନାଁ ପଚାରିବେ । ଏହା ସହିତ ବିଜେଡି ସରକାରର କାଉଣ୍ଟଡାଉନ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ କଣ୍ଟାବାଞ୍ଜିର ୧୦ ଗାଁ ନାଁ ପଚାରିବେ । ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝି ପାରିବେନି । ସେଥିପାଇଁ ଧନୀ ଓଡିଶାର ଲୋକମାନେ ଗରିବ । ଏଠିକାର ସରକାରକୁ ଆପଣଙ୍କର କୌଣସି ଚିନ୍ତା ନାହିଁ ।
ଓଡିଶାର ଲୋକ ବହୁତ ସ୍ୱାଭିମାନୀ, ଅନ୍ୟାୟକୁ କେବେ ସହନ୍ତିନି । ଓଡିଶାର ମହାପୁରୁଷମାନେ ଆଜି ଓଡିଶାର ସ୍ଥିତି ଦେଖି କଣ କହୁଥିବେ । ଓଡିଆ ଅସ୍ମିତା ଆଜି ସଙ୍କଟରେ । ଆମେ କେବେ ଏହାକୁ ବନ୍ଧା ପକାଇବାକୁ ଦେବୁନି । ଓଡିଶାକୁ ଏହି ସଙ୍କଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । ଜୁନ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଆପଣମାନଙ୍କୁ ନିମନ୍ତ୍ରଣ ରହିଲା ମୋର । ଓଡିଶାମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବେ, ଏହା ମୋଦୀ ଗ୍ୟାରେଣ୍ଟି ।
ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଧନୀ ଓଡିଶାର ଗରିବ ଲୋକ ଆଜି ଗରିବୀ ସହ ଯୁଝୁଛନ୍ତି । ପ୍ରାକୃତିକ ସଂପଦରେ ଭରପୂର ଓଡିଶା ପୂରା ବରବାଦ ହୋଇଛି । ଦାଦନ ସମସ୍ୟାରେ ଏବେ ପୂରା ଯୁଝୁଛି ବଲାଙ୍ଗୀର । ଦାଦନ ସମସ୍ୟା ଦୂର ପାଇଁ ବିଜେପିକୁ ଭୋଟ୍ ଦିଅନ୍ତୁ । ଭ୍ରଷ୍ଟାଚାରୀ ବିଜେଡି ସରକାର ଥିବା ଯାଏ ଲୋକଙ୍କୁ ଲାଭ ମିଳିବନି ।
ବଲାଙ୍ଗୀର ସଭା ପରେ ମୋଦୀଙ୍କ ବରଗଡରେ ସଭା ରହିଛି । ଏହା ପୂର୍ବରୁ ଆଜି ପ୍ରଥମେ ଫୁଲବାଣୀରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ସ୍ୱରରେ ହମଲା କରିଛନ୍ତି । ରତ୍ନଭଣ୍ଡାରକୁ ନେଇ ବିଜେଡିକୁ ପ୍ରଶ୍ନ ପରେ ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ପ୍ରଚାରର ଅନ୍ତିମ ଦିନ । ତେଣୁ ବିଜେପି, ବିଜେଡି ଓ କଂଗ୍ରେସ ନିଜର ପ୍ରଚାର ଜୋରଦାର କରିଛନ୍ତି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ ଓଡିଶାରେ ମାରାଥନ ପ୍ରଚାର ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ।