ଭୁବନେଶ୍ୱର: ଦ୍ୱାଦଶ ପରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇଛି । ସିବିଏସଇ ଦଶମ ଓ ଦ୍ୱାଦଶ ଉଭୟ ପରୀକ୍ଷାର ରେଜଲ୍ଟ cbseresults.nic.in, results.cbse.nic.in ଏବଂ cbse gov .in ରେ ଜାରି କରାଯାଇଛି । ସିବିଏସଇ ଦଶମ ପରୀକ୍ଷାର ପାସ୍ ହାର ୯୩.୬୦ ପ୍ରତିଶତ ରହିଛି, ଯାହା ଗତ ବର୍ଷ ତୁଳନାରେ ୦.୪୮ ପ୍ରତିଶତ ଅଧିକ । ଗତ ବର୍ଷ ଦଶମରେ ପାସ୍ ହାର ୯୩.୧୨ ପ୍ରତିଶତ ରହିଥିଲା । ଏଥର ମଧ୍ୟ ଛାତ୍ରୀ ବାଜି ମାରିଛନ୍ତି । ସେମାନଙ୍କର ପାସ୍ ହାର ୯୪.୭୫ ପ୍ରତିଶତ ଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୨.୭୧ ପ୍ରତିଶତ ରହିଛି ।
ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ୪୭ ହଜାର ୯୮୩ ଛାତ୍ର-ଛାତ୍ରୀ ୯୫ ପ୍ରତିଶତ କିମ୍ବା ସେଥିରୁ ଅଧିକ ନମ୍ବରରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୨ ଲକ୍ଷ ୧୨ ହଜାର ୩୮୪ ଛାତ୍ର-ଛାତ୍ରୀ ୯୦ ପ୍ରତିଶତ କିମ୍ବା ସେଥିରୁ ଅଧିକ ନମ୍ବର ରଖିଛନ୍ତି । ଏଥର ଦଶମ ପରୀକ୍ଷାରେ ୨ ଲକ୍ଷ ୧୪ ହଜାର ଛାତ୍ର-ଛାତ୍ରୀଙ୍କ କମ୍ପାର୍ଟମେଣ୍ଟ ଲାଗିଛି ।
ଦଶମ ବୋର୍ଡ ପରୀକ୍ଷା ପାଇଁ ୨୨ ଲକ୍ଷ ୫୧ ହଜାର ୮୧୨ ଜଣ ନାଁ ପଞ୍ଜିକରଣ କରିଥିବା ବେଳେ ପରୀକ୍ଷା ଦେଇଛନ୍ତି ୨୦ ଲକ୍ଷ ୯୫ ହଜର ୪୬୭ ଜଣ ଛାତ୍ର-ଛାତ୍ରୀ । ୨୫ ହଜାର ୭୨୪ ସ୍କୁଲର ଏହି ଛାତ୍ର-ଛାତ୍ରୀ ୭ ହଜାର ୬୦୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ।