ଧର୍ମେନ୍ଦ୍ରଙ୍କ ବିରୋଧରେ ବର୍ଷିଲେ ବିଜେଡି ମୁଖପାତ୍ର,କହିଲେଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଯାଇନି


ସମ୍ୱଲପୁର:ମହାପ୍ରଭୁଙ୍କ ନାମ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁଭଳି ଭାବରେ ବାରମ୍ବାର ମିଛ କହୁଛନ୍ତି । ସବୁ କାମ ମୁଁ କରିଛି ମୁଁ କରିଛି ବୋଲି ବାଉଳି ହେଉଛନ୍ତି । ନିଜେ ମିଛ କହି ଲୋକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ପୁଣି ତଥ୍ୟ ଦେଖିଲେ ବଚସ୍କରଙ୍କ ଦ୍ଵାରା ସତ୍ୟ ମାନୁଛନ୍ତି । ମତେ ଲାଗୁଛି ଧର୍ମେନ୍ଦ୍ରଙ୍କ ବାଳୁତପଣିଆ ଏ ପର୍ଯ୍ୟନ୍ତ ଯାଇନାହିଁ । ପରିପକ୍ଵ ହେବାକୁ ଆହୁରି ୧୦ ବର୍ଷ ଲାଗିବ । ସତ୍ତାର ଲାଳସାରେ ଧର୍ମେନ୍ଦ୍ର ଏମିତି ଭାବରେ ବୁଡି ଯାଇଛନ୍ତି ଯେ ସେ ବାରମ୍ବାର ମହାପ୍ରଭୁଙ୍କ ନାମରେ ମିଛ କହି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ଼. ଲେନିନ ମହାନ୍ତି । ଆଜି ପୂର୍ବାହ୍ନରେ ବିଜେପି ତରଫରୁ ସାମ୍ବାଦିକ ସମ୍ମିଳନୀ କରି ପଚରାଯାଇଥିବା ପ୍ରଶ୍ନର ତଥ୍ୟଭିତ୍ତିକ ଉତ୍ତର ରଖିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡା ସମାଲୋଚନା କରିଛନ୍ତି ।
ସ୍ଥାନୀୟ ପାନ୍ଥ ନିବାସରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଡ଼. ଲେନିନ ମହାନ୍ତି କହିଥିଲେ ବାରମ୍ବାର ବିଗତ ୧୫ ଦିନ ହେଲାଣି ଆମେ ପ୍ରଶ୍ନର ଉତ୍ତର ମାଗୁଛୁ । କିନ୍ତୁ ଧର୍ମେନ୍ଦ୍ର ଆମ ପ୍ରଶ୍ନର ଉତ୍ତର ଦେବା ଛାଡ଼ି ଅନ୍ୟ ପ୍ରସଙ୍ଗରେ ମିଛ କହୁଛନ୍ତି । କେନ୍ଦ୍ରମନ୍ତ୍ରୀ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ତହବିଲରୁ କେତେ ଟଙ୍କା ଅନୁଦାନ ଦେଇଛନ୍ତି । ମୁଁ କହୁଛି କେନ୍ଦ୍ରମନ୍ତ୍ରୀ କହୁଥିବା ୩୦ କୋଟି କଣ ତିନିକୋଟି ବି ଆସିନାହିଁ । ଏ ସମ୍ପର୍କରେ ପଚାରିଥିବା ପ୍ରଶ୍ନ ଆଜିକୁ ସାତଦିନ ହେଲାଣି କେନ୍ଦ୍ରମନ୍ତ୍ରୀ ଉତ୍ତର ଦେଇଥାନ୍ତି । ବଚସ୍କରଙ୍କ ଦ୍ଵାରା ବାରମ୍ବାର ପ୍ରେସମିଟ୍ କରୁଛନ୍ତି କିନ୍ତୁ ଉତ୍ତର ଦେଉନାହାନ୍ତି । ଆମେ ତାଙ୍କୁ ଚ୍ୟାଲେଞ୍ଜ କରୁଛୁ ଏହାକୁ ପ୍ରମାଣ କରନ୍ତୁ ୩୦ କୋଟି ଦେଇଛନ୍ତି ବୋଲି । ସେହିଭଳି ଆଇଓସିଏଲରେ କେତେ ଓଡ଼ିଆ ଯୁବକଙ୍କୁ ଚାକିରୀ ଦେଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟର ସିଏସଆର୍ ଫଣ୍ଡ କେତେ ଦେଇଛନ୍ତି । ଓଡ଼ିଆ ଅସ୍ମିତା କଥା କହୁଛନ୍ତି କିନ୍ତୁ ବିହାର, ମଧ୍ୟପ୍ରଦେଶ ପ୍ରୀତି ବେଶୀ । ନବକଳେବର ପାଇଁ କେନ୍ଦ୍ରରୁ ୫୦ କୋଟି ଦିଆଯାଇଥିବା କାଲି କହିଥିଲେ । କିନ୍ତୁ ଯେତେବେଳେ ତଥ୍ୟଭିତ୍ତିକ ପ୍ରମାଣ ଉପସ୍ଥାପନ କରାଗଲା ଆଜି ତାଙ୍କର ତିନି ଜଣ ବଚସ୍କରଙ୍କ ମାଧ୍ୟମରେ କହୁଛନ୍ତି ୧୦ କୋଟି ବୋଲି । ସେହିଭଳି ବଚସ୍କର ଆଜି ପ୍ରଶ୍ନ କରିଛନ୍ତି ରତ୍ନ ଭଣ୍ଡାର ଉପରେ ଯାହାକି ଅତ୍ୟନ୍ତ ହାସ୍ୟାସ୍ପଦ ଅଟେ । ଯେତେବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି ରଥଯାତ୍ରା ସମୟରେ ରତ୍ନ ଭଣ୍ଡାର ଖୋଲା ହେବ । ଏହା ଜାଣିବା ପରେ ବି ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ବଚସ୍କର ଙ୍କ ମାଧ୍ୟମରେ ପ୍ରଶ୍ନ କରିବା ତାଙ୍କର ବାଳୁତପଣିଆ କୁ ଦର୍ଶାଉଛି ବୋଲି କହିଥିଲେ । ଏହା ସହିତ ସେ କହିଥିଲେ ମୋର ସତ୍ ସାହାସ ଅଛି ମୁଁ ଦେଖାଇପାରିବି ଦେଶର ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ବ୍ୟବସ୍ଥା ବହୁତ୍ ଭଲ । ଧର୍ମେନ୍ଦ୍ର ପ୍ରଧାନ ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପଣ୍ଡିଆନଙ୍କୁ ଅଣଓଡ଼ିଆ ବୋଲି କହୁଛନ୍ତି । ତେବେ ଧର୍ମେନ୍ଦ୍ରଙ୍କ ସ୍ତ୍ରୀ ମୃଦଳା ଠାକୁର ହିମାଚଳ ପ୍ରଦେଶ ରୁ ଆସି ଓଡ଼ିଆ, ଅପରାଜିତା ଷଡ଼ଙ୍ଗୀ ବିହାର ରୁ ଆସି ଓଡ଼ିଆ, ବାଃ କି ଚମତ୍କାର ଗଣିତ ଏମାନଙ୍କର । ସମ୍ୱଲପୁରରେ ଆଇଆଇଏମ୍ କୁ ବନ୍ଦ କରି ଭୁବନେଶ୍ୱର ଗୋଠପାଟଣାରେ କରିବାକୁ କେଉଁ କେନ୍ଦ୍ରମନ୍ତ୍ରୀ ପ୍ରୟାସ କରୁଥିଲେ । ଗୋଠ ପାଟଣାରେ କାହା ନାଁ ଜମି ରହିଛି । ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଶୋଚନୀୟ ପରାଜୟ ହେବ ସୁନିଶ୍ଚିତ । ତେଣୁକରି ସେମାନେ ଏଭଳି ବାଉଳି ହେଉଛନ୍ତି । ପ୍ରଭୁ ଜଗନ୍ନାଥ ଧର୍ମେନ୍ଦ୍ର ବାବୁଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ସେ ପ୍ରକାଶ କରିଛନ୍ତି ।