ଏସସିବିରୁ ଡିସଚାର୍ଜ ହେଲେ ପ୍ରଶାନ୍ତ ଜଗଦ୍ଦେବ


କଟକ: ଖୋର୍ଦ୍ଧା ବିଧାୟକ ଭାବେ ନିର୍ବାଚିତ ବିଜେପି ନେତା ପ୍ରଶାନ୍ତ ଜଗଦ୍ଦେବ ଏସସିବିରୁ ଡିସଚାର୍ଜ ହୋଇଛନ୍ତି । ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି । ମେ’ ୨୯ ତାରିଖରେ ସେ ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାର ମେଡିସିନ ବିଭାଗରେ ଭର୍ତ୍ତି ହୋଇଥିଲେ। 

ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗରେ ମେ’ ୨୫ ତାରିଖ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ଖୋର୍ଦ୍ଧା ଜେଲ୍‌କୁ ପଠାଇ ଦିଆଯାଇଥିଲା । ଜେଲ୍‌ରେ ଥିବା ବେଳେ ମେ’ ୨୮ ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ ପ୍ରଶାନ୍ତ । ତା’ ପରଦିନ ତାଙ୍କୁ କଟକ ବଡ଼ ଡାକ୍ତରଖାନାର ମେଡିସିନ୍ ବିଭାଗର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ଗତ ମେ’ ୩୧ ତାରିଖରେ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଥିଲା । ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲା ଦୌରାଜଜ-୨ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ତେବେ ଜାମିନ ପାଇଁ ସେ ପୁଣି ଆବେଦନ କରିଥିଲେ । ଜୁନ୍ ୭ ତାରିଖରେ କୋର୍ଟ ତାଙ୍କୁ ୩ ଦିନ ପାଇଁ ଜାମିନ ପ୍ରଦାନ କରିଥିଲେ । ତାଙ୍କୁ ଜୁନ୍ ୯, ୧୦ ଓ ୧୧ ତାରିଖ ପାଇଁ ଜାମିନ ମିଳିଛି । ଅର୍ଥାତ୍ ଆଜିଠାରୁ ତାଙ୍କ ଜାମିନ ଅବଧି ଆରମ୍ଭ ହେଉଛି ।

୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ଯଥାକ୍ରମେ ବେଗୁନିଆ ଓ ଚିଲିକାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ପ୍ରଶାନ୍ତ ଜଗଦ୍ଦେବ । ତେବେ ୨୦୨୪ରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଓ ଖୋର୍ଦ୍ଧା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ସାହୁଙ୍କୁ ୮,୫୯୮ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଛନ୍ତି । ପ୍ରଶାନ୍ତ ଜଗଦ୍ଦେବଙ୍କୁ ୮୦ ହଜାର ୫୬୪ ଖଣ୍ଡ ଭୋଟ୍ ମିଳିଥିବା ବେଳେ ରାଜେନ୍ଦ୍ରଙ୍କୁ ୭୧ ହଜାର ୯୬୬ଟି ଭୋଟ୍ ମିଳିଥିଲା ।