ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ପଦରେ ଶପଥ ନେବାର ୧୬ ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଫାଇଲରେ ଦସ୍ତଖତ କରିଛନ୍ତି । ପିଏମ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହି ଆଧାରରେ ୨୦ ହଜାର କୋଟି ଟଙ୍କା ଆବଣ୍ଟିତ କରାଯିବ । ଏଥିରେ ୯.୩ କୋଟି ଚାଷୀ ଉପକୃତ ହେବେ ।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆମର ସରକାର କୃଷକଙ୍କ କଲ୍ୟାଣ ପ୍ରତି ପୁରା ସମର୍ପିତ । ତେଣୁ ସରକାର କୃଷକଙ୍କ ସଂପର୍କିତ ପ୍ରଥମ ଫାଇଲ ଉପରେ ଦସ୍ତଖତ କରିଛନ୍ତି । ଆମେ ଆଗାମୀ ସମୟରେ କୃଷକଙ୍କ ପାଇଁ ଏବଂ କୃଷି କ୍ଷେତ୍ର ପାଇଁ ଅଧିକରୁ ଅଧିକ କାମ କରିବୁ ।
ମୋଦୀ କ୍ୟାବିନେଟ୍ ରବିବାର ଶପଥ ନେବା ପରେ ସୋମବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦୁଇଟି ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଧାରରେ ନିଆଯାଇଛି । ପ୍ରଥମ ବଡ ନିଷ୍ପତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଆଧାରରେ ୨ କୋଟି ଅତିରିକ୍ତ ଘରକୁ ମଞ୍ଜୁରୀ ଦିଆଯାଇଛି । ଦ୍ୱିତୀୟ ବଡ ନିଷ୍ପତ୍ତି ଏହି ଯୋଜନାରେ ଲାଭାର୍ଥୀଙ୍କୁ ଦିଆଯାଉଥିବା ସହାୟତା ରାଶିରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରାଯାଇପାରେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ତୃତୀୟ ଥର ପ୍ରଧାନମନ୍ତ୍ରୀ ପଦରେ ଶପଥ ପାଠ ନେଇଛନ୍ତି । ସେ ରାଷ୍ଟ୍ରପତି ଭବନରେ ନୂତନ କ୍ୟାବିନେଟ୍ ଶପଥ ନେଇଛନ୍ତି । ମୋଦୀ ସରକାର ୩.୦ରେ ମୋଟ୍ ମନ୍ତ୍ରୀଙ୍କ ସଂଖ୍ୟା ୭୨ ରହିଛି, ଏଥିରୁ ୩୦ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିବେ ।