‘ଗରିବୀରୁ ମୁକୁଳିଛନ୍ତି ୨୫ କୋଟି ଭାରତୀୟ, ଏମରଜେନ୍ସି ସମ୍ବିଧାନ ଉପରେ ବଡ ଆକ୍ରମଣ ଥିଲା’


ନୂଆଦିଲ୍ଲୀ: ସଂସଦରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସେ ସଂସଦ ଭବନରେ ପହଞ୍ଚିବା ପରେ ଉପରାଷ୍ଟ୍ରପତି ଜଗଦୀଶ ଧନଖଡ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ମିଳିତ ଅଧିବଶେନକୁ ସମ୍ବୋଧିତ କରି ନବନିର୍ବାଚିତ ସାଂସଦମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି।

ସମ୍ବୋଧନରେ ରାଷ୍ଟ୍ରପତି କେନ୍ଦ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ବଖାଣିବା ସହ ବିରୋଧୀଙ୍କୁ ମଧ୍ୟ ସମ୍ବିଧାନକୁ ନେଇ ଆଇନା ଦେଖାଇବାକୁ ଚେଷ୍ଟା କରିଛନ୍ତି । ଦେଶର ଗରିବୀଠୁ ନେଇ ଶିକ୍ଷା, ବିଜ୍ଞାନ, ବାଣିଜ୍ୟ ଓ ଭବିଷ୍ୟତ ଯୋଜନା ଉପରେ ଆଲୋଚନା କରିଛନ୍ତି ରାଷ୍ଟ୍ରପତି ମୁର୍ମୁ। ସେକହିଛନ୍ତି ଦେଶରେ ଗରିବୀ ଦୂର ହୋଇଛି, ୨୫ କୋଟି ଭାରତୀୟ ଗରିବୀରୁ ମୁକ୍ତ ହୋଇଛନ୍ତି । ଏଥିସହ ଦେଶରେ ବିଜୁଳି ବିଲ୍ ଶୂନ କରିବାକୁ ସରକାର ଯୋଜନା କରୁଥିବା ସେ କହିଛନ୍ତି।

ଦେଶର ଉନ୍ନତି କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବିଷୟରେ ଆଲୋଚନା କରି ରାଷ୍ଟ୍ରପତି କହିଛନ୍ତି, ଆଗକୁ ମହିଳାମାନଙ୍କୁ ଡ୍ରୋନ୍ ପାଇଲଟ କରିବାକୁ ଉଦ୍ୟମ ଚାଲିଛି। ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟାପକ ଅଭିଯାନ ଚଳାଯାଇଛି। ଉତ୍ତର-ଦକ୍ଷିଣ ଭାରତରେ ବୁଲେଟ୍ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ବ୍ୟବସ୍ଥା ଚାଲିଛି ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି।

ସେ କହିଛନ୍ତି, ଭାରତର ସମ୍ବିଧାନ ଉପରେ ସବୁଠୁ ବଡ ଆକ୍ରମଣ ଜରୁରୀକାଳୀନ ପରିସ୍ଥିତି ଥିଲା । ଏହି କାରଣରୁ ୧୯୭୫ରେ ପୁରା ଦେଶରେ ହାହାକାର ଖେଳି ଯାଇଥିଲା । ଦୁଇ ବର୍ଷ ଯାଏ ଜରୁରୀକାଳୀନ ସ୍ଥିତି ଲାଗି ରହିଥିଲା । ଏହି ସମୟରେ ଲୋକଙ୍କଠୁ ସମସ୍ତ ଅଧିକାର ଛଡାଇ ନିଆଯାଇଥିଲା । ଆମେ ସମସ୍ତେ ସଂକଳ୍ପ ନେବା ଯେ, ସମ୍ବିଧାନର ରକ୍ଷା କରିବା ।

ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ସଂପ୍ରତି ଗଣତନ୍ତ୍ର ଉପରେ ହମଲା ହେଉଛି । ଏହାକୁ ଲା’ିତ କରିବାକୁ ଉଦ୍ୟମ ହେଉଛି । ଏଥର ଇଭିଏମ ଜନତାଙ୍କ ଭରସା ଜିତିଛି । କିଛି ଦଶନ୍ଧି ପୂର୍ବେ ଦେଶରେ ଭୋଟିଂ ସମୟରେ ବାଲାଟ ପେପର ଲୁଟି ନେଉ ଯାଉଥିଲେ । ନିର୍ବାଚନ କମିଶନକୁ ପ୍ରଶଂସା କରି ରାଷ୍ଟ୍ରପତି କହିଛନ୍ତି, ଏଥର କାଶ୍ମୀର ଘାଟିରେ ରେକର୍ଡ ସଂଖ୍ୟକ ଭୋଟିଂ ହୋଇଛି। ଚାରି ଦଶକରୁ ଏଠାରେ ଭୋଟିଂ ପ୍ରତିଶତ କମ୍ ରହି ଆସୁଥିଲା। ଏଥର କିନ୍ତୁ ବିରାଟ ପରିବର୍ତ୍ତନ ଆସିଛି। ମୋ ସରକାର ଉପରେ ଲୋକେ ତୃତୀୟ ଥର ଭରସା କରିଛନ୍ତି। ଲୋକେ ଜାଣିଛନ୍ତି ମୋ ସରକାର ସେମାନଙ୍କ ଆକାଂକ୍ଷା ପୂରଣ କରିପାରିବ।