ରାଞ୍ଚି: ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ ନେତା ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଛି । ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଜମି ଦୁର୍ନୀତି ସଂପର୍କିତ ମନି ଲଣ୍ଡ୍ରିଂ ମାମଲାରେ ଜାମିନ ପ୍ରଦାନ କରିଛନ୍ତି ।
ଜଷ୍ଟିସ ରଙ୍ଗନ ମୁଖୋପାଧ୍ୟାୟଙ୍କ କୋର୍ଟ ଜାମିନ ଆବେଦନ ଉପରେ ତିନି ଦିନ ପର୍ଯ୍ୟନ୍ତ ଯୁକ୍ତି ଶୁଣିବା ପରେ ଜୁନ ୧୩ ତାରିଖ ରାୟ ସଂରକ୍ଷିତ ରଖିଥିଲେ । ଆଉ ଆଜି କୋର୍ଟ ତାଙ୍କୁ ଜାମିିନ ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଇଡି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ନେତା ସୋରେନଙ୍କୁ ଜାନୁଆରୀ ୩୧ ତାରିଖରେ ଗିରଫ କରିଥିଲା ।
ଏହି ସମୟରେ ସୋରେନ ରାଞ୍ଚି ବିର୍ସା ମୁଣ୍ଡା ସେଣ୍ଟ୍ରାଲ ଜେଲରେ ଥିଲେ । ଇଡିର ଯୁକ୍ତି ବରିୟାତୁର ୮.୮୬ ଏକର ଜମି ଉପରେ ହେମନ୍ତ ସୋରେନ ବେଆଇନ କବଜା କରିଛନ୍ତି । ଏହି ଜମିର କାଗଜପତ୍ର ହେମନ୍ତ ସୋରେନଙ୍କ ନାମରେ ନ ଥିଲେ ବି ସେ ବେଆଇନ ଭାବେ କବଜା କରିଛନ୍ତି ।
ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ହେମନ୍ତ ସୋରେନଙ୍କ ପକ୍ଷରୁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ ଓ ମୀନାକ୍ଷି ଅରୋରା କହିଥିଲେ, ଏହି ଜମି ଛୋଟାନାଗପୁର ଟେନେସି ଆକ୍ଟ ଆଧାରରେ ଭୂଇଁହରି ପ୍ରକୃତିର । ତେଣୁ ଏହି ପରି ଜମି କୌଣସି ବ୍ୟକ୍ତିଙ୍କୁ ବିକ୍ରି କରାଯାଇ ପାରିବ ନାହିଁ କି ହସ୍ତାନ୍ତର କରାଯାଇ ପାରିବ ନାହିଁ । ଏହି ଜମିର ଲିଜ ରାଜକୁମାର ପାହନଙ୍କ ନାମରେ ରହିଛି । ଏଥିରେ ହେମନ୍ତ ସୋରେନଙ୍କ ସହ କୌଣସି ସମ୍ବନ୍ଧ ନାହିଁ ।