ଟି-୨୦ କ୍ରିକେଟରୁ ରୋହିତ ଓ ବିରାଟଙ୍କ ଅବସର ଘୋଷଣା


ଭୁବନେଶ୍ବର: ୨୦୨୪ ଟି-୨୦ ବିଶ୍ବ ଚାମ୍ପିୟନ ହେବା ପରେ ରେହିତ ଶର୍ମା ଏବଂ ବିରାଟ କୋହିଲଙ୍କ ବଡ଼ ଘୋଷଣା । ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଭାରତର ଦୁଇ ଷ୍ଟାର କ୍ରିକେଟର । ସାରା ଭାରତ ଓ ଇଣ୍ଡିଆନ କ୍ରିକେଟ ଫ୍ୟାନ୍ ଟି-୨୦ ବିଶ୍ବକପ୍ ବିଜୟର ଖୁସି ମନାଉଥିବା ବେଳେ ଏମାନଙ୍କ ଅବସର ଘୋଷଣା ସମସ୍ତଙ୍କୁ ଚକିତ କରି ଦେଇଛି । ତେବେ ଉଭୟ ସେମାନଙ୍କ ଅବସର ନେଇ ପୂର୍ବରୁ ସଙ୍କେତ ଦେଇ ସାରିଥିଲେ । ଆଉ ହାତରେ ବିଶ୍ବକପ୍ ଟ୍ରଫି ଧରିବା ପରେ ଏହି ଘୋଷଣା ଉଭୟଙ୍କ ପାଇଁ ସବୁଠାରୁ ଭଲ ସମୟ ଥିଲା । ଯାହା ସେମାନେ କରିଛନ୍ତି ।

ଗତକାଲି ବିରାଟ କୋହଲି ଖେଳିଥିବା ନିଜର ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଭାରତକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ସେ ୫୯ ବଲ୍‌ରୁ ୭୬ ରନ୍ (୬ ଚୌକା, ୨ ଛକା) କରିଥିଲେ । ସେହିପରି ଏହି ମ୍ୟାଚ୍ ବିଜୟ ପଛରେ ରହିଥିବା ରଣନୀତିରେ ରୋହିତ ଶର୍ମାଙ୍କ ଅବଦାନ ସବୁଦିନ ପାଇଁ ମନେ ରହିବ । ବିଶ୍ୱକପ୍‌ର ସୁପର ୮ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୪୧ ବଲ୍‌ରେ ୯୨ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ଯାହା ଚିର ସ୍ମରଣୀୟ ହୋଇ ରହିବ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିୟନ ହେବା ପରେ ବିରାଟ କୋହଲି କହିଥିଲେ, ଏହି ବିଶ୍ୱକପ୍ ମୋର ଶେଷ ଟି-୨୦ ବିଶ୍ୱକପ୍ । ଏବେ ସମୟ ଆସିଛି ନୂଆ ପୀଢ଼ିକୁ ଆଗକୁ ଯିବାର ।

ସେହିଭଳି ରୋହିତ ଶର୍ମା କହିଥିଲେ, ଏହା ମୋର ଶେଷ ମ୍ୟାଚ୍‌ । ବିଦାୟ ନେବା ପାଇଁ ଏହାଠାରୁ ବଡ଼ ଅବସର ଆଉ କ’ଣ ହୋଇପାରେ । ମୁଁ ଏହି ଟ୍ରଫି ଜିତିବା ପାଇଁ ବହୁତ ବ୍ୟାକୁଳ ଥିଲି । ରୋହିତ ଶର୍ମା ସ୍ପଷ୍ଟ କରି ଦେଇଛନ୍ତି ଯେ ସେ କେବଳ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରୁ ଅବସର ନେଇଛନ୍ତି । ସେ ଦିନିକିଆ ଓ ଟେଷ୍ଟରେ ଦେଶ ପାଇଁ ଖେଳ ଜାରି ରଖିବେ ।  

୨୦୧୦ରେ ଜିମ୍ବାୱେ ବିପକ୍ଷରେ ଭାରତ ପାଇଁ ଟି-ଟ୍ୱେଣ୍ଟି ଡେବ୍ୟୁ କରିଥିଲେ ବିରାଟ । ଆଉ ଗତକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ଟି-ଟ୍ୱେଣ୍ଟି କ୍ୟାରିୟରର ଶେଷ ମ୍ୟାଚ୍‌ । ସେ ୧୨୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ୪୧୮୮ ରନ୍ ସଂଗ୍ରହ କରିଛନ୍ତି । ତା’ ମଧ୍ୟରେ ଗୋଟିଏ ଶତକ ଓ ୩୮ଟି ଅର୍ଦ୍ଧ ଶତକ ରହିଛି ।   

ସେହିପରି ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷରେ ୨୦୦୭ରେ ଟି-ଟ୍ୱେଣ୍ଟି କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୫୯ଟି ମ୍ୟାଚ୍ ଖେଳି ୪୨୩୧ ରନ୍ ସଂଗ୍ରହ କରିଛନ୍ତି । ତା’ ଭିତରେ ୫ଟି ଶତକ ଓ ୩୨ଟି ଅର୍ଦ୍ଧ ଶତକ ରହିଛି ।