ବିଶ୍ବ ବିଜୟ ଟ୍ରଫି ସହ ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ, ଆଜି ଗ୍ରାଣ୍ଡ ସେଲିବ୍ରେସନ


ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ ଜିତିବା ପରେ ଭାରତ ଫେରିଛି ଟିମ୍ ଇଣ୍ଡିଆ । ଦିଲ୍ଲୀ ବିମାନ ବନ୍ଦରରେ ଆଜି ସକାଳେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ । ବିଶ୍ୱ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ବିମାନବନ୍ଦର ନିକଟରେ ଜମିଥିଲା ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଥିଲେ ।

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଟିମ୍ ଇଣ୍ଡିଆ ଦିଲ୍ଲୀ ଆସି ପହଞ୍ଚିଛି । ଗତକାଲି ସନ୍ଧ୍ୟାରେ ବାର୍ବୋଡସର ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ବୋଇଂ ୭୭୭ ବିମାନ ଟିମର ଖେଳାଳି, ସପପୋର୍ଟ ଟିମ୍ ଏବଂ ସାମ୍ବାଦିକମାନଙ୍କୁ ନେଇ ଭାରତ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା । ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ସକାଳେ ଦିଲ୍ଲୀ ବିମାନବନ୍ଦରରେ ବିମାନ ଲ୍ୟାଣ୍ଡ କରିଛି । 

ବିଶ୍ୱ ବିଜୟୀ ଦଳର ଖେଳାଳିମାନେ ଆଜି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସାରି ସେଠାରୁ ଚାଟାର୍ଡ ବିମାନ ଯୋଗେ ମୁମ୍ବାଇ ଯିବେ । ଆଜି ସନ୍ଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ ସେଲିବ୍ରେସନ।

ଖେଳାଳିମାନେ ମୁମ୍ବାଇ ବିମାନ ବନ୍ଦରରୁ ୱାଙ୍ଖଡେ ଷ୍ଟାଡିୟମରେ ପହଞ୍ଚିବେ । ସେଠାରେ ଏକ କିଲୋମିଟରର ବସ୍ ପ୍ୟାରେଡର କାର୍ଯ୍ୟକ୍ରମ ରହିଛି । ସେଠାରେ ଭବ୍ୟ ସ୍ୱାଗତ ପରେ ଅଧିନାୟକ ରୋହିତ ଶର୍ମା ବିସିସିଆଇ ସେକ୍ରେଟାରୀ ଜୟ ଶାହଙ୍କୁ ବିଶ୍ୱକପ୍ ହସ୍ତାନ୍ତର କରିବେ । ଏହି ଅବସରରେ ଟିମ୍ ଇଣ୍ଡିଆ ପାଇଁ ବିସିସିଆଇ ଘୋଷଣା କରିଥିବା ୧୨୫ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିବ । ସେଠାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ସନ୍ଧ୍ୟାରେ ଖେଳାଳିମାନେ ପ୍ରତ୍ୟାବର୍ତ୍ତନ କରିବେ ।