ଗ୍ରାହାମ୍ ଷ୍ଟେନ୍ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ


ନୂଆଦିଲ୍ଲୀ: ଗ୍ରାହାମ୍ ଷ୍ଟାନ୍ ହତ୍ୟା ମାମଲା ଆପଣଙ୍କର ମନେ ଅଛି ତ ? ମାମଲା ନାଁ ଶୁଣି ୨୪ ବର୍ଷ ତଳର ସେହି ଘଟଣା ପୁଣି ଆପଣଙ୍କ ମନରେ ତାଜା ହୋଇଗଲା କି ? ଆଜି ଆମେ ଏଥିପାଇଁ ଗ୍ରାହାମ ଷ୍ଟାନ ହତ୍ୟା ମାମଲା କହୁଛି, କାରଣ ଏବେ ଏହି ଘଟଣା ପୁଣି ଚର୍ଚ୍ଚାରେ ରହିଛି । ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି ।

ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାରଣ ଗତ ୨୪ ବର୍ଷର ଜେଲ୍ ଜୀବନ କାଟିଥିବାରୁ ମୁକ୍ତି ଆବେଦନ କରିଛି ଦାରା ସିଂ। ତେଣୁ ତାଙ୍କର ମୁକ୍ତି ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ଏ ସଂପର୍କରେ ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି ଦାରା ସିଂଙ୍କ ଓକିଲ ବିଷ୍ଣୁ ଶଙ୍କର ଜୈନ ।

୧୯୯୯ ମସିହାରେ ଅଷ୍ଟ୍ରେଲିଆର ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ମାରିଥିଲା ଦାରା ସିଂ । କେନ୍ଦୁଝର ଜିଲ୍ଲା ମନୋହରପୁରରେ ଗ୍ରାହାମ ଷ୍ଟେନ୍ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀବନ୍ତ ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିଲା । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ରହିଛି । ଗତ ୨୪ ବର୍ଷ ୫ ମାସ ହେଲା କେନ୍ଦୁଝର ଜେଲରେ ସଜା କାଟୁଛି ଦାରା । ଏତେ ଦିନ ଧରି ଦାରା ଜେଲରେ ଥିବାରୁ ତା’ର ମାନସିକ ଅବସ୍ଥା କେମିତି ଅଛି ? କ’ଣ ରହିଛି ତା’ର ଆଚରଣ, ଏ ସଂପର୍କରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ ।