ଜମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ, ୪ ଯବାନ ସହିଦ


ଜମ୍ମୁ କାଶ୍ମୀର: ଗତ କିଛିଦିନ ହେବ ଜମ୍ମୁ ଓ କାଶ୍ମୀରରେ ପୁଣି ବଢ଼ିବାରେ ଲାଗିଛି ଆତଙ୍କବାଦୀ କାର୍ଯ୍ୟକଳାପ । ବାରମ୍ବାର ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ । ଏହି କ୍ରମରେ ଡୋଡା ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ୪ ଯବାନ ସହିଦ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଅଧିକାରୀ ଓ ୩ ଯବାନ ଅଛନ୍ତି । ଆଉ ଜଣେ ଯବାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଆତଙ୍କବାଦୀ ସଙ୍ଗଠନ କଶ୍ମୀର ଟାଇଗର୍ସ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦ ସହ ଏହି ସଙ୍ଗଠନର ସମ୍ପର୍କ ଥିବା ଜଣାପଡ଼ିଛି ।

ଗତକାଲି ସନ୍ଧ୍ୟାରେ ଡୋଡାର ଦେଶା ଜଙ୍ଗଲରେ କିଛି ଆତଙ୍କୀ ଲୁଚିଥିବା ଖବର ମିଳିଥିଲା । ଏହାପରେ ରାଷ୍ଟ୍ରୀୟ ରାଇଫଲ୍ସ ଓ ଜମ୍ମୁ କାଶ୍ମୀର ସ୍ପେଶାଲ୍ ଅପରେସନ୍ସ ଟିମ୍‌ (SOG) ଅପରେସନ୍ ଆରମ୍ଭ କରିଥିଲେ । କିଛି ସମୟ ପରେ ସେଠାରେ ଲୁଚି ଥିବା ଆତଙ୍କବାଦୀ ଦୌଡ଼ିବାକୁ ଲାଗିଥିଲେ । ଯବାନମାନେ ସେମାନଙ୍କ ପିଛା କରି ରାତିର ଅନ୍ଧକାରରେ ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଥିଲେ । ରାତି ପ୍ରାୟ ୯ଟାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ଗୁଳି ବିନିମୟ ହୋଇଥିଲା ।

ଆତଙ୍କବାଦୀଙ୍କ ଗୁଳିରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ଗୁରୁତର ହୋଇଥିଲେ । ତୁରନ୍ତ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଜି ଭୋରୁ ଅଧିକାରୀଙ୍କ ସମେତ ୪ ଜଣ ଯବାନ ଆଖି ବୁଜି ଦେଇଛନ୍ତି । ଆଉ ଜଣେ ଯବାନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ସମଗ୍ର ଅଞ୍ଚଳକୁ ସିଲ୍ କରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଗତ କିଛିଦିନ ମଧ୍ୟରେ ଜମ୍ମୁ- କଶ୍ମୀରରେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି । ଭାରତୀୟ ସେନା ଗତ ୧୪ ତାରିଖରେ ନିୟନ୍ତ୍ରଣ ରେଖା ନିକଟରେ ଅନୁପ୍ରବେଶ ରୋକିବାକୁ ଯାଇ ୩ ଜଣଙ୍କୁ ଗୁଳି କରି ମାରି ଦେଇଥିଲା । ଗତ ୮ ତାରିଖରେ ଆତଙ୍କବାଦୀମାନେ କଠୁଆରୁ ୧୨୩ କିମି ଦୂରରେ ଥିବା ମାଚେଡି ଅଞ୍ଚଳରେ ସେନାର ଦୁଇଟି ଟ୍ରକ୍‌ ଉପରେ ଆକ୍ରମଣ କରିଥିଲେ । ଯେଉଁଥିରେ ୫ ଯବାନ ସହିଦ ହୋଇଥିବା ବେଳେ ବେଳେ ୫ ଜଣ ଯବାନ ଆହତ ହୋଇଥିଲେ। ।

ଆତଙ୍କବାଦୀମାନେ ଗ୍ରେନେଡ ଫିଙ୍ଗିଥିଲେ ଓ ପରେ ଗୁଳି ଚଳାଇବା ଆରମ୍ଭ କରିଥିଲେ । ଏହି ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି । ଆତଙ୍କବାଦୀଙ୍କ ନିକଟରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ସୂଚନା ମିଳିଥିଲା।

ଜମ୍ମୁ ଅଞ୍ଚଳରେ ଏହା ସପ୍ତମ ଆତଙ୍କବାଦୀ ଆକ୍ରମଣ ଘଟଣା । ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାରେ ଜୁନ୍‌ ୧୧ ଓ ୧୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ଜୁନ୍‌ ୧୧ରେ ଛତରଗାଲାର ମିଳିତ ଚେକ୍ ପୋଷ୍ଟରେ ଆତଙ୍କବାଦୀଙ୍କ ଆକ୍ରମଣରେ ୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବାବେଳେ ଜୁନ୍ ୧୨ ରେ ଗାନ୍ଧୋ ଅଞ୍ଚଳର କୋଟା ଟପ୍ ଠାରେ ହୋଇଥିବା ଏନକାଉଣ୍ଟରରେ ଜଣେ ପୁଲିସ ଆହତ ହୋଇଥିଲେ । କିଛି ବର୍ଷ ପୂର୍ବେ ଏହି ଅଞ୍ଚଳ ଆତଙ୍କବାଦରୁ ମୁକ୍ତ ଥିବା ବେଳେ ଏବେ ଏହା ସମଗ୍ର ଜମ୍ମୁକୁ ବ୍ୟାପି ଗଲାଣି। ଗତ ୩୨ ମାସ ମଧ୍ୟରେ ଜମ୍ମୁ ଅଞ୍ଚଳରେ ୪୮ ଜଣ ଯବାନ ସହିଦ ହୋଇ ସାରିଲେଣି ।