ମାମୁ, ମାଇଁଙ୍କୁ ଗୁଳି କରି ହତ୍ୟା କଲା ନାବାଳକ ଭଣଜା


ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଅଭାବନୀୟ ଘଟଣା । ଘରୋଇ କଳହରୁ ମାମୁ, ମାଇଁଙ୍କୁ ଗୁଳି କରି ହତ୍ୟା କଲା ଭଣଜା । ଏପରିକି ଗୋଟିଏ ଗୁଳି ମାମୁଙ୍କ ପୁଅ ଦେହରେ ମଧ୍ୟ ବାଜିଛି । ମାମୁ, ମାଇଁଙ୍କ ଗାଳି ଅସହ୍ୟ ହେବାରୁ ଭଣଜା ଏପରି ଚରମ ପଦକ୍ଷେପ ଉଠାଇଥିବା ପୋଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାଯାଇଛି।

ମୃତକ ଦ୍ୱୟ ହେଲେ ୬୫ ବର୍ଷୀୟ ରାଜେନ୍ଦ୍ର ସିଂହ ଓ ତାଙ୍କ ୬୦ ବର୍ଷୀୟ ପତ୍ନୀ । ଏହି ଗୁଳିମାଡ଼ ଘଟଣାରେ ତାଙ୍କ ପୁଅ ସରବନ ଗୁରୁତର ହୋଇଛନ୍ତି । ସରବନ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି ।

ଘଟଣା ସମୟରେ ବାପାମା’ ପୁଅ ଗୋଟିଏ ରୁମ୍‌ରେ ଥିବା ବେଳେ ହଠାତ୍‌ ଅଭିଯୁକ୍ତ ଅଭିଷେକ ହାତରେ ଏକ ବନ୍ଧୁକ ଧରି ରୁମ୍‌ରେ ପଶିଥିଲେ । ଏହାପରେ ସେ ଆଖିବୁଜା ଗୁଳିମାଡ଼ କରିଥିଲେ । ଗୁଳି ଶବ୍ଦ ଶୁଣି ପରିବାରର ଅନ୍ୟ ସଦସ୍ୟ ପହଞ୍ଚି ସମସ୍ତେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ।

ସମସ୍ତଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ରାଜେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ସରବନଙ୍କ ହାତରେ ଗୁଳି ବାଜିଥିବା ବେଳେ ସେ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏହି ଘଟଣା ପରେ ଅଭିଯୁକ୍ତ ଅଭିଷେକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ୍‌ ପହଞ୍ଚି ଘଟଣାର ତଦନ୍ତ ଅରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଖୋଜୁଛି ।