ହାଇଦ୍ରାବାଦ: ଘରେ ପତ୍ନୀ ଓ ଦୁଇ ଦୁଇଟି ଝିଅ । ଏତିକିରେ ମନ ଭରି ନଥିଲା, ବାହାରେ ଆଉ ଜଣଙ୍କ ସହ ରଖିଥିଲା ଅବୈଧ ସମ୍ପର୍କ । କଥା ଜଣାପଡ଼ିବା ପରେ ପତ୍ନୀ ଓ ଦୁଇ ଝିଅଙ୍କୁ ଫିଲ୍ମ ଷ୍ଟାଇଲରେ ରାସ୍ତାରୁ ହଟାଇ ଦେଇ ପ୍ରେମିକା ସହ କରୁଥିଲା ରାସଲୀଳା । କଥାରେ ଅଛି ଚୋର ଡାଳେ ଡାଳେ ଗଲେ ପୋଲିସ ପତରେ ପତରେ । ପୋଲିସକୁ ହତ୍ୟାକାରୀ ସ୍ବାମୀ ଉପରେ ସନ୍ଦେହ ହୋଇଥିଲା ଆଉ ତଦନ୍ତ ବେଳେ ବାବୁଙ୍କ କାରନାମା ଧରାପଡି ଯାଇଥିଲା ।
ଘଟଣା ଘଟିଛି ହାଇଦ୍ରାବାଦରେ । ନିଜର ପ୍ରେମିକା ନିମନ୍ତେ ପତ୍ନୀ ଓ ଦୁଇ କନ୍ୟା ସନ୍ତାନଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ଅଭିଯୁକ୍ତ ବି. ପ୍ରବୀଣ । ହତ୍ୟାକୁ ଏକ କାର୍ ଦୁର୍ଘଟଣାର ରୂପ ଦେଇ ୪୮ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ଚାଲିଥିଲା । ରବିବାର ପୋଲିସ ନାଟକୀୟ ଢଙ୍ଗରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ।
ବି. ପ୍ରବୀଣ ପେଷାରେ ଜଣେ ଫିଜିଓଥେରାପିଷ୍ଟ । ହାଇଦ୍ରାବାଦର ଅଟ୍ଟାପୁରସ୍ଥିତ ଜର୍ମାନଟେନ୍ ହସ୍ପିଟାଲରେ ସେ କାମ କରୁଥିଲେ । ମେ’ ୨୮ ତାରିଖରେ ପତ୍ନୀ ବି. କୁମାରୀ , ଦୁଇ ଝିଅ କୃଷିକା ଓ କୃତ୍ତିକାଙ୍କୁ ସାଙ୍ଗରେ ନେଇ କାରରେ ହାଇଦ୍ରାବାଦରୁ ଖମାମ୍ ଯାଉଥିଲେ । ଏହି ସମୟରେ କାରଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା। ଏଥିରେ କୁମାରୀ ଓ ଦୁଇ ଝିଅଙ୍କ ମୃତ୍ୟୁ ଘଟିଥିଲା । ସେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରିଥିଲା ।
ତେବେ ଶବ ବ୍ୟବଚ୍ଛେଦ ବେଳେ କୁମାରୀଙ୍କ ଶରୀରରେ ଇଞ୍ଜେକ୍ସନ ଦିଆଯିବାର ଚିହ୍ନ ଥିବା ଓ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ଦୁର୍ଘଟଣା ନୁହେଁ ହତ୍ୟା ବୋଲି ପୋଲିସ ଜାଣିବାକୁ ପାଇଥିଲା । ଏହାପରେ ପୋଲିସ ପ୍ରବୀଣଙ୍କୁ ଉଠାଇ ଆଣି ପଚରାଉଚରା କରିବାରେ ପ୍ରକୃତ କଥା ପଦାକୁ ଆସିଥିଲା ।
ପୋଲିସ ସୂଚନା ଅନୁସାରେ, ପ୍ରବୀଣ କାମ କରୁଥିବା ହସ୍ପିଟାଲର ଜଣେ ସୋନି ଫ୍ରାନସିନ ନାମକ ଜଣେ ନର୍ସଙ୍କ ସହ ଅବୈଧ ସମ୍ପର୍କରେ ରଖିଥିଲେ । ଏ କଥା ପ୍ରବୀଣଙ୍କ ପତ୍ନୀ ଜାଣିପାରିଥିଲେ ଓ ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା । ପରେ ନିଜ ପତ୍ନୀଙ୍କୁ ରାସ୍ତାରୁ ସବୁଦିନ ହଟାଇବାକୁ ଯୋଜନା କରିଥିଲା ପ୍ରବୀଣ । ଯୋଜନା ମୁତାବକ ପତ୍ନୀ ଓ ଦୁଇ ଝିଅଙ୍କୁ ନେଇ କାରରେ ଯାଉଥିବା ବେଳେ ବି. କୁମାରୀଙ୍କୁ ଓଭର ଡୋଜ ଆନେସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ । ଏହାପରେ କାରର ଆଗ ସିଟରେ ବସିଥିବା ଦୁଇ ଝିଅଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ । ତିନି ଜଣଙ୍କୁ ହତ୍ୟା କରିବା ପରେ କାରଟିକୁ ନେଇ ରାସ୍ତାକଡ଼ର ଏକ ଗଛରେ ଧକ୍କା ଦେଇ ଦୁର୍ଘଟଣାର ନାଟକ ରଚିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବାରୁ ପ୍ରବୀଣ ହସ୍ପିଟାଲରେ କିଛି ଦିନ ଚିକିତ୍ସିତ ହୋଇ ଫେରିବା ପରେ ପ୍ରେମିକାଙ୍କୁ ସାଥିରେ ନେଇ ସାଧାରଣ ଜୀବନ ବିତାଉଥିଲେ ।
ତେବେ ବ୍ୟବଚ୍ଛେଦ ସମୟରେ କୁମାରୀଙ୍କ ଶରୀରରେ ଇଞ୍ଜେକ୍ସନ ଦିଆଯାଇଥିବା ଚିହ୍ନ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା । ତଦନ୍ତକାରୀ ଦଳ ପୁଣି ଥରେ ଦୁର୍ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିଥିଲେ । କାରକୁ ଯାଞ୍ଚ କରାଯିବା ବେଳେ ସେଥିରୁ ଏକ ସିରିଞ୍ଜ ମିଳିଥିଲା । ଏହାକୁ ଫରେନସିକ୍ ଯାଞ୍ଚ ନିମନ୍ତେ ପଠାଗଲା । ଫରେନସିକ୍ ରିପୋର୍ଟ ଆସିବା ପରେ ପ୍ରବୀଣକୁ ହସ୍ପିଟାଲ ପରିସରରୁ ଗିରଫ କରାଯାଇଛି ।