ଆଇଏଏସ ପୂଜା ଖେଡକରଙ୍କ ଘରେ ବେଆଇନ ବନ୍ଧୁକ, ମାଆ ଗିରଫ


ପୁଣେ: ବିବାଦରେ ଫସିଥିବା ପୂଜା ଖେଡକରଙ୍କୁ ନେି ପୁଣି ଏକ ଚାଞ୍ଚଲ୍ୟକର ଖବର । ତାଙ୍କ ଘରେ ବେଆଇନ ଅସ୍ତ୍ରଶସ୍ତ୍ର ଥିବା ଅଭିଯୋଗରେ ପୁଣେ ପୋଲିସ ତାଙ୍କ ମାଆଙ୍କୁ ଗିରଫ କରିଛି ।

ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିରୋଧରେ ପଦର ଦୂରୁପୋଯୋଗ ଅଭିଯୋଗକୁ ନେଇ ବଦଳି ହେବା ପରେ ଏକାଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା । ବ୍ୟକ୍ତିଗତ ଅଡ଼ି କାରରେ ନାଲି ବତୀ ଲଗାଇବା, ଜାଲିଆତି କରି ୟୁପିଏସସି ପରୀକ୍ଷା କ୍ଲିଅର୍ କରିଥିବା ଆଦି ଅଭିଯୋଗ ଥିବା ବେଳେ ବର୍ତ୍ତମାନ ତାଙ୍କ ମାଆଙ୍କୁ ଗିରଫ କରିଛି ପୋଲିସ ।  

ତାଙ୍କ ମାଆ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ଆଇନଗତ ପ୍ରକ୍ରିୟାର ସମ୍ମୁଖୀନ ହୋଇଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା । ସେ ଜମି ସଂକ୍ରାନ୍ତ ବିବାଦକୁ ନେଇ ଜଣେ ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ଆଧାର କରି ପୁଣେ ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଛି । ଏପରିକି ମନୋରମା ଖେଡକରଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଦିଲିପ ଖେଡକରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି ।

ସେପଟେ ପୂଜାଙ୍କ ବିରୋଧରେ ଜାଲିଆତି ଅଭିଯୋଗ ଆସିବା ପରେ ଆଇଏଏସ ଟ୍ରେନିଂ ଏକାଡେମୀ ତାଙ୍କ ଟ୍ରେନି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଛନ୍ତି । ଜୁଲାଇ ୨୩ ସୁଦ୍ଧା ଟ୍ରେନିଂ ଏକାଡେମୀରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।