ଆଉ ଜଣଙ୍କ ଜୀବନ ନେଲା ଚାନ୍ଦିପୁରା ଭାଇରସ୍


ଭୁବନେଶ୍ବର: ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ ସହ ଗୁଜରାଟରେ ଚାନ୍ଦିପୁରା ଭାଇରସର ଆତଙ୍କ । ଗୁଜରାଟରେ ଏହି ଭାଇରସ ନେିଛି ଆଉ ଜଣେ ଶିଶୁର ଜୀବନ । ମୃତ ଶିଶୁ ସାଢ଼େ ଚାରି ବର୍ଷର ବୋଲି ଜଣାପଡିଛି । ଭାଇରସ ଜନିତ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜି ବା ଏନଆଇଭି । ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୧୪ ଜଣ ଏହି ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଛନ୍ତି । ସମସ୍ତଙ୍କ ନମୁନା ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ରର ସାବରକନ୍ଥ, ଆରାବଳୀ, ମହିସାନଗର, ଖେଡା, ମେହସାନା, ରାଜକୋଟ ଆଦି ଜିଲ୍ଲାରେ ଚାନ୍ଦିପୁରା ଭାଇରସ ଆତଙ୍କ ଖେଳାଇଛି । ରାଜସ୍ଥାନ ଓ ମଧ୍ୟପ୍ରଦେଶର ୩ ଜଣ ରୋଗୀ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । ୨୬ଟି ଆବାସିକ ଜୋନରୁ ୪୪ ହଜାର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହି ଭାଇରସ ଭେସିକୁଲାର ଭାଇରସ ଜେନସ ଶ୍ରେଣୀର ଅନ୍ତର୍ଗତ । ଏହା ମୁଖ୍ୟତ ଫ୍ଲେବୋଟୋମାଇନ କୀଟ ବା ବାଲୁମକ୍ଷିକା ଦ୍ବାରା ସଂକ୍ରମିତ ହୋଇଥାଏ । ଏହା ସହ ଅନ୍ୟ କୀଟ ଓ ମଶାଙ୍କ ଦ୍ବାରା ମଧ୍ୟ ସଂକ୍ରମିତ ହୋଇଥାଏ । ଭାଇରସ ମୁଖ୍ୟତଃ ପିଲାଙ୍କ ପ୍ରତି ବିପଦ ସାବ୍ୟସ୍ତ ହୋଇଥାଏ ।

ସୂଚନାଯୋଗ୍ୟ, ୧୯୬୫ରେ ପ୍ରଥମେ ଏହାକୁ ମହାରାଷ୍ଟ୍ରର ଚାନ୍ଦିପୁରା ଗ୍ରାମରୁଠାବ କରାଯାଇଥିଲା । ତେଣୁ ଏହାକୁ ଚାନ୍ଦିପୁରା ଭାଇସର କୁହାଯାଇଥାଏ । ଚାନ୍ଦିପୁରା ଭାଇରସ ଯୋଗୁଁ ପ୍ରବଳ ଜ୍ବର, ଡାଇରିଆ, ବାନ୍ତି, କାଶ, ମସ୍ତିଷ୍କ ପ୍ରଦାହ ହୋଇଥାଏ । ୨୪ରୁ ୭୨ ଘଣ୍ଟା ମଧ୍ୟରେ ରୋଗୀ ପ୍ରାଣ ହରାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ଚାନ୍ଦିପୁରା ଭାଇରସର ଚିକିତ୍ସା ବ୍ୟବସ୍ଥା ଓ ଟୀକା ବାହାରି ନଥିବାରୁ ଏଥିରେ ଆକ୍ରାନ୍ତ ଲୋକଙ୍କ ଜୀବନ ବଞ୍ଚାଇବା କଷ୍ଟକର ହୋଇଯାଇଥାଏ ।