ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଜାତୀୟ ଅର୍ଥନୀତିର ରିପୋର୍ଟ କାର୍ଡ ନେଇ ଭିଜନ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ପୂର୍ଣ୍ଣାଙ୍ଗ ବଜେଟ ହେବ ଆଗତ । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି, ନୂଆ ଯୋଜନା, ନୂଆ ଆର୍ଥିକ ନୀତି ଆଦି ଉପରେ ଫୋକସ କରାଯାଉଛି । ଏହାସହ ଜିଡିପି ଅଭିବୃଦ୍ଧି, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସ୍ଥାନ ପାଇବ ।
ଗତ ଏପ୍ରିଲରେ ୨୦୨୫ ବର୍ଷ ଲାଗି ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୮ ପ୍ରତିଶତରୁ ୭ ପ୍ରତିଶତ ଲାଗି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଦର୍ଶାଇଥିବା ବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଏହି ରିପୋର୍ଟରେ ହେବ ସ୍ପଷ୍ଟ । ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଆଇନର ସଂଶୋଧନ ସମେତ ୬ଟି ନୂଆ ବିଲ୍ ଆସିବ ।
ଚଳିତ ଅଧିବେଶନରେ ଆର୍ଥିକ ବିଲ୍, ଭାରତୀୟ ବାୟୁଯାନ ବିଧେୟକ, ବଏଲର୍ସ ବିଲ୍, କଫି ପ୍ରମୋସନ ଓ ବିକାଶ ବିଲ୍, ରବର ପ୍ରମୋସନ ଓ ବିକାଶ ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି ।