ଆଜି ଆସିବ କେନ୍ଦ୍ର ବଜେଟ୍: ନିର୍ମଳାଙ୍କ ବଜେଟ୍ ପେଡିରୁ ବାହାରିବ କ’ଣ ?


ନୂଆଦିଲ୍ଲୀ: ଗତକାଲିଠାରୁ ସଂସଦର ମୌସୁମୀ ଅଧିବେଶନ ଆଣମ୍ଭ ହୋଇଥିବା ବେଳେ ଉପସ୍ଥାପିତ ହେବାକୁ ଯାଉଛି ୨୦୨୪-୨୫ ଆର୍ଥିକ ବର୍ଷର ବାର୍ଷିକ ସାଧାରଣ ବଜେଟ । ଏହା ଏନଡିଏ ସରକାରର ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ । ଆଜି ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ-ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଆଉ ଏହାସହ ୭ମ ଥର ବଜେଟ ଉପସ୍ଥାପନ କରି ଇତିହାସ କରିବାକୁ ଯାଉଛନ୍ତି ନିର୍ମଳା ।

ଏଥର ନିର୍ମଳାଙ୍କ ପେଡ଼ିରେ ଫୋକସରେ ରହିବ ଯୁବ ବର୍ଗଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି । ଶିଳ୍ପ ଜଗତକୁ ପ୍ରାଧ୍ୟାନ୍ୟ ସହ ଭିତ୍ତିଭୂମି କ୍ଷେତ୍ରକୁ ଅଧିକ ପୁଞ୍ଜି ଉପରେ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି । ରପ୍ତାନୀ ବୃଦ୍ଧି ପାଇଁ ଆର୍ଥିକ ପ୍ରୋତ୍ସାହନ ଓ ରପ୍ତାନୀ ନୀତିରେ ବି ସଂଶୋଧନ ହୋଇପାରେ । ଆତ୍ମନିର୍ଭର ଭାରତ ପାଇଁ ଅଧିକରୁ ଅଧିକ ମାନୁଫାକ୍ଚରିଂ ଶିଳ୍ପ ସ୍ଥାପନ କରାଯିବା ସହ ଷ୍ଟାର୍ଟଅପ୍ ଓ MSMEକୁ ଅଧିକ ଟିକସ ରିହାତି ମିଳିବ ବୋଲି ଆଶା କରାଯାଉଛି । ଏକ ପରିବେଶ ଅନୁକୂଳ ଭାରତ ଗଠନ ପାଇଁ ଗ୍ରୀନ୍ ଇନିସିଏଟିଭକୁ ପ୍ରାଧାନ୍ୟ ମିଳିପାରେ ବୋଲି ଆକଳନ କରୁଛନ୍ତି ବିଶେଷଜ୍ଞ ।

ବଜେଟରୁ ବଡ଼ ଆଶା ରଖିଛି ପର୍ଯ୍ୟଟନ କ୍ଷେତ୍ର । ଦେଶର ଜିଡିପିରେ ପର୍ଯ୍ୟଟନ ଶିଳ୍ପର ଅଂଶ ୧୬ ଲକ୍ଷ କୋଟି । କିନ୍ତୁ ପର୍ଯ୍ୟଟନ ବଜେଟ୍ ମାତ୍ର ୨୪ ହଜାର କୋଟି । କୋଭିଡ୍ ପରେ ଘରୋଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ‘ଦେଖୋ ଅପ୍ନା ଦେଶ୍’ ପଦକ୍ଷେପ ଆପଣେଇଛନ୍ତି କେନ୍ଦ୍ର ସରକାର । ହେଲେ, ସେଥିପାଇଁ ନାହିଁ ପର୍ଯ୍ୟାପ୍ତ ଭିତ୍ତିଭୂମି । ଏହାକୁ ନଜରରେ ରଖି ଅର୍ଥମନ୍ତ୍ରୀ ପର୍ଯ୍ୟଟନ କ୍ଷେତ୍ର ଲାଗି ଅଧିକ ପାଣ୍ଠି ଘୋଷଣା କରିବେ ବୋଲି ଆଶା ରଖିଛି ପର୍ଯ୍ୟଟନ ଶିଳ୍ପ ।

ରିଅଲ ଇଷ୍ଟେଟ୍ ସଂଘ ମଧ୍ୟ ଅନେକ ଆଶା ରଖିଛି । କରୋନା ମହାମାରୀ ପରେ ଏଯାଏଁ ଠିକ୍ ଭାବେ ମୁଣ୍ଡ ଟେକିପାରିନି ରିଅଲ ଇଷ୍ଟେଟ୍ କ୍ଷେତ୍ର । ଏହାକୁ ତ୍ୱରାନ୍ୱିତ କରିବା ଲାଗି ଶସ୍ତା ବାସଗୃହ ନିର୍ମାଣରେ ବିଲ୍ଡରଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ବାସଗୃହ କ୍ରେତାଙ୍କ ଲାଗି କ୍ରେଡିଟ୍ ଲିଙ୍କ୍ ସ୍କିମ ସମ୍ପ୍ରସାରଣ ଓ ଷ୍ଟାଣ୍ଡାର୍ଡ ଡିଡକ୍ସନ ବୃଦ୍ଧି ଘୋଷଣା ହେବ ବୋଲି ଆଶା କରାଯାଉଛି ।