ବଜେଟ୍: ମୋରାଜୀ ଦେଶାଇଙ୍କ ରେକର୍ଡ ଭାଙ୍ଗିବେ ସୀତାରମଣ


ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୪-୨୫ ବର୍ଷ ପାଇଁ ବଜେଡ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ହେବ ନିର୍ମଣାଙ୍କ ୭ମ ବଜେଟ୍ ଉପସ୍ଥାପନ । ଏହାସହ ସୀତାରମଣ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ ଯିଏ କି ୭ ଥର ବଜେଟ୍ ଉପସ୍ଥାପନ କରିବେ । ଖାଲି ସେତିକି ନୁହେଁ, ସେ ମୋରାଜୀ ଦେଶାଇଙ୍କ ରେକର୍ଡକୁ ପଛରେ ପକାଇ ଇତିହାସ ରଚିବେ ।

ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଅଧୀନରେ ମୋରାଜୀ ଦେଶାଇ ଅର୍ଥମନ୍ତ୍ରୀ ଥିଲେ । ଏହି ସମୟରେ ସେ ସର୍ବାଧିକ ୬ଥର ବଜେଟ୍‌ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିଥିଲେ । ସେ ୧୯୫୯ରୁ ୧୯୬୪ ପର୍ଯ୍ୟନ୍ତ ପାଞ୍ଚଟି ପୂର୍ଣ୍ଣାଙ୍ଗ ବଜେଟ୍ ଏବଂ ଗୋଟିଏ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଥିଲେ । ପରେ ୧୯୭୭ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ସର୍ବାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ ବର୍ତ୍ତମାନ ସୁଦ୍ଧା ରାଜୀ ଦେଶାଇଙ୍କ ପାଖରେ ରହିଛି ।

୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିଲେ । ସେହିବର୍ଷ ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ନିର୍ମଳା ସୀତାରମଣ । ଚଳିତବର୍ଷ ସୁଦ୍ଧା ସୀତାରମଣ କ୍ରମାଗତ ୬ଟି ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ମଧ୍ୟରେ ୫ଟି ପୂର୍ଣ୍ଣାଙ୍ଗ ବଜେଟ୍‌ ଓ ଗୋଟିଏ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ସାମିଲ ଅଛି ।

ଗତ ଫେବ୍ରୁଆରୀରେ ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପିତ କରିଥିଲେ । ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରେ ତାଙ୍କ ରେକର୍ଡ ୭ ଛୁଇଁବ।