ବିଧାନସଭା ବଜେଟ୍ ଅଧିବେଶନ, ଆଜି ବି ସରଗରମ ରହିବ ଗୃହ


ଭୁବନେଶ୍ବର: ଗତକାଲିଠାରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନସଭାର ଆଜି ଦ୍ବିତୀୟ ଦିନ । ଗତକାଲି ପରି ଆଜି ବି ସରଗରମ ରହିପାରେ ଗୃହ । ବିରୋଧୀ ଦଳ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ପ୍ରସ୍ତୁତ ହୋଇଛନ୍ତି ।

ଆଜି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ହେବ। ଏହାସହ ଗୃହରେ ପଞ୍ଚାୟତରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ, ରାଜ୍ୟ ବୀମା ଓ ସରକାରୀ ଉଦ୍ୟୋଗ ବିଭାଗର ପ୍ରଶ୍ନ କାଳ ରହିଛି।

ବିରୋଧୀ ଦଳ ପକ୍ଷରୁ ଦରଦାମ ବୃଦ୍ଧି ଆଉ ସରକାର ଚୁପ୍ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଦିଆଯାଇଛି । ଗତକାଲି ପ୍ରଥମ ଦିନରେ ଦୁଇ ବିରୋଧୀ ବିଜେଡ଼ି ଓ କଂଗ୍ରେସ ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭରୁ ଗୃହରେ ହୋହାଲ୍ଲା ଆରମ୍ଭ ହୋଇଯଇଥିଲା । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନଯିବା ପ୍ରସଙ୍ଗ ଉଠାଇ ସରକାରଙ୍କୁ କଡା ସମାଲୋଚନା କରିଥିଲେ । ଏହାସହ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ କେମିତି ଅଭିଯୋଗରେ ସଂପୃକ୍ତ ନେତାଠାରୁ ମନ୍ତ୍ରୀ ଓ ସରକାରୀ କର୍ମଚାରୀ ପର୍ଯ୍ୟନ୍ତଙ୍କ କାର୍ଯ୍ୟାନୁଷ୍ଠାନ ନେଉଥିଲେ ଉଦାହରଣ ଦେଇ ପିଜେପି ସରକାରଙ୍କୁ ମନେ ପକାଇ ଦେଇଥିଲେ । ଏପରିକି ନବୀନଙ୍କ ନେତୃତ୍ବରେ ବିଜେଡି ବିଧାୟକମାନେ କକ୍ଷତ୍ୟାଗ କରିଥିଲେ ।

ବିଜେଡି ପରି ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ପ୍ରସଙ୍ଗରେ କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା । ଓଡ଼ିଶାରେ ଜଣେ ଓଡ଼ିଆ ଅଧିକାରୀଙ୍କୁ ଅଣ ଓଡ଼ିଆ ମାଡ଼ ମାରିବା ଓ ରାଜ୍ୟ ସରକାର ଚୁପ ବସିଥିବାକୁ ନେଇ କଂଗ୍ରେସ ବିଧାୟକମାନେ ଅସ୍ମିତାର ପ୍ରଶ୍ନ ଉଠାଇ ଗୃହତ୍ୟାଗ କରି କରିଥିଲେ ।