ବଜେଟକୁ ବିରୋଧ: ନୀତି ଆୟୋଗ ବୈଠକକୁ ଯିବେନି ୪ ରାଜ୍ୟ ମୁଖ୍ୟମନ୍ତ୍ରୀ


ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବା ପରେ ତେଜିବାରେ ଲାଗିଛି ଅସନ୍ତୋଷ । ବିଜେଡିକୁ ବିରୋଧ କରି ଇଣ୍ଡିଆ ବ୍ଲକର ସାଂସଦମାନେ ଆଜି ସଂସଦ ଭବନ ପରିସରରେ ବିରୋଧ ପ୍ରଦର୍ଶନ କରିବେ । ଏଥିସହ ନୀତି ଅୟୋଗ ବୈଠକକୁ ବହିଷ୍କାର କରିବେ ବୋଲି ଘୋଷଣା କରିଛନ୍ତି ।

ସାଧାରଣ ବଜେଟରେ ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକୁ ଅଣଦେଖା କରାଯାଇଥିବାରୁ ରାଗି ଯାଇ ଇଣ୍ଡିଆ ମିଳିତ ମଞ୍ଚର ଦଳଗୁଡିକ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଛି । ଅତିକମ୍‌ରେ ଚାରୋଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକକୁ ଯିବେନି । ସେଥିମଧ୍ୟରୁ କଂଗ୍ରେସ ଶାସିତ ରାଜ୍ୟର ତିନି ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି ।

ସୂଚନାଯୋଗ୍ୟ, ଇଣ୍ଡିଆ ମେଣ୍ଟର ପ୍ରମୁଖ ସହଯୋଗୀ ଡିଏମ୍‌କେ ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ରାଜ୍ୟ ପ୍ରତି ହୋଇଥିବା ଅନ୍ୟାୟ ବିରୋଧରେ ପୂର୍ବରୁ ହିଁ ନୀତି ଆୟୋଗ ବୈଠକକୁ ବହିଷ୍କାର ଘୋଷଣା କରିସାରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଇଣ୍ଡିଆ ମେଣ୍ଟର ନେତାଙ୍କ ବୈଠକ ବସିଥିଲା । ଏହି ବୈଠକରେ ବଜେଟ ଉପରେ ଚର୍ଚ୍ଚା ହୋଇଥିଲା । ଅଣ ବିଜେପି ଶାସିତ ରାଜ୍ୟ ପ୍ରତି ଭେଦଭାବ କରାଯାଥିବା ନେଇ ବିରୋଧୀ ଅସନ୍ତୋଷ ପ୍ରକାଶ କରିଥିଲେ । ଏଥିସହ ଇଣ୍ଡିଆ ମେଣ୍ଟର ସମସ୍ତ ମୁଖ୍ୟମନ୍ତ୍ରୀ ମଧ୍ୟ ନୀତି ଆୟୋଗ ବୈଠକକୁ ବହିଷ୍କାର କରିବାକୁ ଘୋଷଣା କରିଥିଲେ।