ନୀତିଶ ଓ ଚନ୍ଦ୍ରବାବୁଙ୍କୁ ଖୁସି କରିଦେଲା ବଜେଟ୍‌, ଓଡିଶାକୁ କଣ ମିଳିଲା ?


ନୂଆଦିଲ୍ଲୀ: ବଜେଟରେ ଚାକିରିଆଙ୍କୁ କଣ ମିଳିଲା, ଯୁବ ବର୍ଗଙ୍କୁ କଣ ମିଳିଲା ଏହାକୁ ନେଇ ବିଶେଷଜ୍ଞଙ୍କ ଅନେକ ଅନେକ ରାୟ ଥିଲେ ହେଁ ବଜେଟରୁ ସ୍ପଷ୍ଟ ଯେ, ବିଜେପି ସହଯୋଗୀ ଦଳମାନଙ୍କ ମନ ଖୁସି କରି ଦେଇଛି । ଲୋକସଭା ନିର୍ବାଚନରେ ଏଥର ବିଜେପି ନିଜ ଦମରେ ସରକାର ଗଢି ପାରିନି । ସରକାର ଏନଡିଏର ହୋଇଥିଲେ ହେଁ ବିହାରର ଜେଡିୟୁ ଓ ଆନ୍ଧ୍ର ପ୍ରଦେଶର ଟିଡିପି ସରକାରରେ ସବୁଠୁ ବଡ ସହଯୋଗୀ । ଦୁଇ ସହଯୋଗୀ ନିଜ ନିଜର ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରୁଥିଲେ । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ତ ମିଳିନି କିନ୍ତୁ ବଜେଟରେ ଏହି ଦୁଇ ରାଜ୍ୟକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏତେ ଗୁରୁତ୍ୱ ମିଳିଛି ଯେ, ବିରୋଧୀ ମଧ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ଆଉ ଅନ୍ୟପଟେ ଏଥର ବିପୁଳ ବିଜୟ ସହ ସରକାର ଗଢିଥିବା ଓଡିଶା ପ୍ରତି ଅବହେଳା ହୋଇଥିବା ବିରୋଧୀ କଂଗ୍ରେସ ଓ ବିଜେଡି ଅଭିଯୋଗ କରିଛନ୍ତି ।

ବିହାରରେ ରାଜପଥ ନିର୍ମାଣ ଲାଗି ୨୬ ହଜାର କୋଟି ଟୀଙ୍କାର ବ୍ୟୟବରାଦ କରାଯାଇଛି । ବହୁମୁଖୀ ବ୍ୟାଙ୍କ ଜରିଆରେ ଋଚ୍ଚର ବ୍ୟବସ୍ଥା କରିବା ଲାଗି ନୀତିଶ ଯେଉଁ ଦାବ କରିଥିଲେ ତାକୁ ମଧ୍ୟ କେନ୍ଦ୍ର ସରକାର ମାନି ନେଇଛନ୍ତି । ସେହିପରି ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ବିକାଶ ପାଇଁ ବଜେଟରେ ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆହୁରି ପାଣ୍ଠି ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ପୋଲାଭରମ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ପାଣ୍ଠି ପ୍ରଦାନ କରିବାକୁ ସରକାର ପ୍ରତିବଦ୍ଧ ଜଣାଇଛନ୍ତି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିହାରକୁ ୧୧ ହଜାର ୫୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ବଜେଟରେ ଘୋଷଣା କରାଯାଇଛି ।

ତେବେ ଓଡିଶା ପାଇଁ ବଜେଟରେ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇ ନ ଥିବା ନିଶ୍ଚିତ ଭାବେ ନିରାଶଜନକ କଥା । ଓଡିଶା ମଧ୍ୟ ଦୀର୍ଘ ଦିନରୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବି କରି ଆସିଛି । ରାଜ୍ୟ ମାନ୍ୟତା ତ ମିଳିବ ନାହିଁ, ବିହାର ଏବଂ ଆନ୍ଧ୍ର ପ୍ରଦେଶକୁ ଯେମିତି ପ୍ୟାକେଜ ଦିଆଯିବାକୁ ଘୋଷଣା ହୋଇଛି, ଓଡିଶା ପାଇଁ ସେମିତି କରାଯାଇ ନାହିଁ । ଏହାକୁ ନେଇ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପି ସରକାକୁ ସମାଲୋଚନା କରିଛନ୍ତି । ବାରମ୍ବାର ଓଡିଶାକୁ ଅବହେଳା କରାଯାଉଥିବା ଏହି ବଜେଟରୁ ମଧ୍ୟ ପ୍ରତୀତମାନ ହୋଇଥିବା କୁହାଯାଉଛି । ଓଡିଶାରେ ପ୍ରଥମ ଥର ସରକାର ଗଢିଥିବା ବିଜେପି ଏଥର ବଜେଟରେ ନିରାଶ କରିିଥିବା ସମୀକ୍ଷକ କହିଛନ୍ତି ।