ସୀମାରେ ଗୁଳି ବିନିମୟ: ଜଣେ ଆତଙ୍କବାଦୀ ସଫା, ଜଣେ ଯବନା ଶହୀଦ


ଜମ୍ମୁ ଓ କାଶ୍ମୀର: ଜମ୍ମୁ ଓ କାଶ୍ମୀର ପୁଣି ଅଶାନ୍ତ । କିଛିଦିନ ହେବ ସୀମାରେ ଲାଗି ରହିଛି ଆତଙ୍କବାଦୀଙ୍କ ଆକ୍ରମଣ । ଆଜି ସକାଳେ ପୁଣି ଆତଙ୍କବାଦୀ ଓ ଭାରତୀୟ ଯବାନଙ୍କ ମଦ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଆତଙ୍କବାଦୀ ନିପାତ ହୋଇ ଥିବାବେଳେ ୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ପରବର୍ତ୍ତୀ ସମୟରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି । 

ସୂଚନା ଅନୁସାରେ, ଆଜି ସକାଳେ ଜମ୍ମୁ କଶ୍ମୀର କୁପୱାଡା ଜିଲ୍ଲାର ମଛିଲ ସେକ୍ଟର ନିକଟରେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କବାଦୀ । ପାକିସ୍ତାନ ବୋର୍ଡର ଆକ୍ସନ ଟିମ୍ (BAT) ଆତଙ୍କବାଦୀମାନେ ଏହି ଆକ୍ରମଣ କରିଥିଲେ । ଯବାନଙ୍କ ପାଲଟା ଆକ୍ରମଣରେ ଜଣେ ର ମୃତ୍ୟୁ ଘଟିଛି । କିନ୍ତୁ ପାଲଟା ଆକ୍ରମଣ ସମୟରେ ପାଞ୍ଚ ଜଣ ଯବାନ ଆହତ ହୋଇଥିଲେ ।

କିଛିଦିନ ହେବ କୁପୱାଡାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢି ଚାଲିଛି । ଗୁରୁବାର ଜଣେ ଯବାନ ଶହୀଦ ହୋଇଥିଲେ । ଏହାପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସର୍ଚ୍ଚ ଅପରେସନ ଜାରି ରହିଛି । 

ପଞ୍ଜାବର ଜଣେ ମହିଳା ଉକ୍ତ ଅଞ୍ଚଳରେ ୭ ଜଣ ସନ୍ଦିଗ୍ଧଙ୍କୁ ଦେଖିଥିବା କହିବା ପରେ ଜମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି । ପଞ୍ଜାବ ପୋଲିସ ଜଣେ ଆତଙ୍କବାଦୀର ସ୍କେଚ୍ ଜାରି କରି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଯଦି କୌଣସି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ଜଣାପଡ଼େ ତେବେ ତୁରନ୍ତ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି । ଆଜି ମଧ୍ୟ ସମସ୍ତ ଆର୍ମି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି ।